ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆଞ୍ଚଳିକ ପରିବହନ କେନ୍ଦ୍ରରୁ ୬ ଦଲାଲ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଜିଲା ଆଞ୍ଚଳିକ ପରିବହନ କେନ୍ଦ୍ରରେ ଦୀର୍ଘ ଦିନ ହେବ ଦଲାଲମାନେ ଲୁଚାଛପାରେ ଦୌରାତ୍ମ୍ୟ ଚଳାଇ ଆସୁଛନ୍ତି । ଦଲାଲମାନେ ନିଜର ନେଟ୍ୱାର୍କ ବିଛାଇ ଗାଡ଼ିର ମାଲିକ ତଥା ହିତାଧିକାରୀ ଓ ରୋଗୀଙ୍କୁ ଭ୍ରମିତ କରାଇ ବିଭିନ୍ନ ଉପାୟରେ ଲୁଟ୍ କରିଆସୁଥିଲେ । ଏହିପରିପ୍ରେକ୍ଷୀ ଗୁରୁବାର ଟାଉନ୍ ଥାନା ପୋଲିସ ଓ ଶିଳ୍ପାଞ୍ଚଳ ଥାନା ପୋଲିସ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି ।
ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭ୍ରମିତ କରାଇ ଘରୋଇ ନିଦାନ କେନ୍ଦ୍ର, ଘରୋଇ କ୍ଲିନିକ୍ ବା ନସିଂ ହୋମ୍କୁ ନେଇ ଯାଉଥିଲେ ଓ ପରେ ଆର୍ôଥକ ଶୋଷଣର ଶିକାର କରୁଥିଲେ । ଏପରିକି ରୋଗୀଙ୍କୁ ଅନ୍ୟ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସ କିମ୍ବା ମୃତଦେହ ଗାଁକୁ ନେବା ବେଳେ ଶବବୁହା ଭ୍ୟାନ୍ ଯୋଗାଡ଼ କରିବା ବେଳେ ମଧ୍ୟ ସେମାନେ ନିଜର ଫାଇଦା ଉଠାଇ ନେଉଥିଲେ । କିଛି ଦଲାଲ ଆଉଟ୍ଡୋର୍ ଟିକଟ ଜଲଦି କରାଇଦେବା, ଡାକ୍ତରଙ୍କୁ ଶୀଘ୍ର ଦେଖା କରାଇଦେବା ଆଳରେ ମଧ୍ୟ ଠକୁଥିଲେ । ଏଭଳି ଅଭିଯୋଗ ବାରମ୍ବାର ଆସିବା ପରେ ଟାଉନ୍ ଥାନା ପୋଲିସ ଏହା ବିରୋଧରେ ଗୁରୁବାର ଅଭିଯାନ ଚଳାଇଥିଲେ । ଚଢ଼ାଉ ସମୟରେ ଉକ୍ତ କାର୍ଯ୍ୟରେ ସାମିଲ୍ ଥିବା ସିଂଲା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଅଞ୍ଚଳର ହରେନ୍ଦ୍ର ସାମଲ (୪୦), ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କେଶପୁର ଅଞ୍ଚଳର ରବୀନ୍ଦ୍ର ପାଣିଗ୍ରାହୀ (୪୫) ଓ ଟାଉନ୍ ଥାନା ଅନ୍ତର୍ଗତ ତନ୍ତିସାହି ଅଞ୍ଚଳର ରଶ୍ମି ରଞ୍ଜନ ଦାସ (୩୬)ଙ୍କୁ ପୋଲିସ ଗିରଫ କରିଥିଲା । ସେହିପରି ଜିଲା ଆଞ୍ଚଳିକ ପରିବହନ କେନ୍ଦ୍ର କାର୍ଯ୍ୟାଳୟରେ ଦଲାଲମାନେ ଗାଡ଼ିର କାଗଜପତ୍ର ପ୍ରସ୍ତୁତ କରିବା, ମାଲିକାନା ପରିବର୍ତ୍ତନ ଭଳି କାର୍ଯ୍ୟରେ ବେଆଇନ୍ ଭାବେ ଅଧିକ ଟଙ୍କା ଦାବି କରିବା ଅଭିଯୋଗରେ ଶିଳ୍ପାଞ୍ଚଳ ଥାନା ପୋଲିସ ଚଢ଼ାଉ କରିଥିଲା । ଚଢ଼ାଉରେ ଜଳେଶ୍ୱର ଥାନା ଅନ୍ତର୍ଗତ ବିରିଶପୁର ଅଞ୍ଚଳର ଅମରନାଥ ଘୋଷାଲ (୫୮), ସୋର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଅଞ୍ଚଳର ଦୀପ୍ତିକାନ୍ତ ସ୍ୱାଇଁ (୪୫) ଓ ବସ୍ତା ଥାନା ଅନ୍ତର୍ଗତ ଛଚିନା ଅଞ୍ଚଳର ଗଗନ ଚନ୍ଦ୍ର ସାହୁ (୩୯) ପୋଲିସ ଗିରଫ କରିଥିଲା । ଗିରଫ ୬ ଅଭିଯୁକ୍ତଙ୍କ ଠାରୁ ବିଭିନ୍ନ ରୋଗୀଙ୍କ ଓପିଡି ଟିକେଟ୍, ଆଧାରକାର୍ଡ଼, ଡାୟଗ୍ନୋଷ୍ଟିକ୍ ସେଣ୍ଟରର ରସିଦ ସହ ଡ୍ରାଇଭିଂ ଲାଇସେନ୍ସର ରସିଦ ଓ ଅନଲାଇନ୍ କାଗଜପତ୍ର, ୬ଟି ମୋବାଇଲ୍ ସହ ନଗଦ ୧୬ହଜାର ଟଙ୍କା ଜବତ କରାଯାଇଥିବା ବେଳେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡ଼ିଛି ।