ଖୁସି ଆଣିଲା ବର୍ଷା : ୫୨ ଡିଗ୍ରୀ ତାତିରୁ ରାଜଧାନୀବାସୀଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ : ପ୍ରବଳ ଗରମରୁ ଦିଲ୍ଲୀବାସୀଙ୍କୁ ମିଳିଛି ଆଶ୍ୱସ୍ତି । ଆଜି ଦିନରେ ଦିଲ୍ଲୀର ତାପମାତ୍ରା ରେକର୍ଡ ଭାଙ୍ଗି ୫୨.୩ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଯାହା ୨ଟା ୩୦ ସମୟରେ ମୁଙ୍ଗେଶପୁରରେ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଥିଲା । ତେବେ ଖୁସିର କଥା ହେଉଛି ସନ୍ଧ୍ୟା ପୂର୍ବରୁ ଦିଲ୍ଲୀ ଏବଂ ନୋଏଡାରେ ପାଗରେ ପରିବର୍ତ୍ତନ ହୋଇଥିଲା । ପ୍ରବଳ ପବନ ସହିତ ବର୍ଷା ହେବା କାରଣରୁ ରାଜଧାନୀବାସୀଙ୍କୁ ଆରାମ ମିଳିଛି ।
ସୂଚନା ମୁତାବକ, ବର୍ଷା ସହିତ ପ୍ରବଳ ପବନ ଏବଂ ଘଡଘଡି ମଧ୍ୟ ଦିଲ୍ଲୀ ଆକାଶରେ ଦେଖିବାକୁ ମିଳିଛି । କିଛି ସମୟ ବର୍ଷା ହେବା କାରଣରୁ ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ଦେଖିବାକୁ ମିଳିଛି । ଦୀର୍ଘ ଦିନ ପରେ ଅପରାହ୍ମ ସମୟରେ ବର୍ଷା ହୋଇଥିବାରୁ ଦିଲ୍ଲୀବାସିନ୍ଦା ଆଜିର ବର୍ଷାକୁ ଖୁବ ଉପଭୋଗ କରିଥିବା ଦେଖିବାକୁ ମିଳିଥିଲା । ଦିଲ୍ଲୀ ବ୍ୟତୀତ ନୋଏଡା, ଗାଜିଆବାଦ ଏବଂ ଏନସିଆରର ଅନ୍ୟାନ୍ୟ ଅଞ୍ଚଳରେ ପାଗ ମଧ୍ୟ ବଦଳଛି। ତେବେ ପ୍ରବଳ ପବନ ବହିବା କାରଣରୁ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗିଥିବା ସୂଚନା ମିଳିଛି । ବର୍ଷା, ପବନ ଏବଂ ବଜ୍ରପାତ ଜନିତ କ୍ଷୟକ୍ଷତି ସାମ୍ନାକୁ ଆସିନାହିଁ ।