ନୀଳଗିରିକୁ ପଶିଲେ ୪୬ଟିକିଆ ଝାଡ଼ଖଣ୍ଡୀ ହାତୀପଲ, ବନାଞ୍ଚଳବାସୀ ଆତଙ୍କିତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରିରେ ଝାଡ଼ଖଣ୍ଡୀ ହାତୀପଲ । ଝାଡ଼ଖଣ୍ଡ ଜଙ୍ଗଲରୁ ଗତ ୨୦୧୦ରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍ଡ଼ର୍ ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ଗୁରୁବାର ପ୍ରତ୍ୟୁଷରେ ୪୬ଟି ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ପୁନ୍ଦାଳ କାଠପାଳ ଦୁର୍ଗାଦେବୀ ପାଟଣା ଅଯୋଧ୍ୟା ରାସ୍ତା ଦେଇ ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି ।
ଏହି ହାତୀ ପଲ ମଧ୍ୟରେ ୭ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ୧୫ରୁ ଅଧିକ ଛୁଆ ହାତୀ ଅଛନ୍ତି । ଅପରାହ୍ନ ୬ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ମୁହାଁଉଥିବା ଜଣାପଡୁଛି । ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିବା ସହ ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବାଡ଼ ଗୁଡ଼ିକ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ହାତୀ ଉପଦ୍ରବ ଅଞ୍ଚଳରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ଭିତରେ ହାଣ୍ଡିଆ ମହୁଲ ମାଦକ ଦ୍ରବ୍ୟ ନ ରଖିବା ପାଇଁ ସଚେତନ କରାଯାଇଛି ।