କୋଭିଡ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ସାମଗ୍ରୀ ଉପରୁ ଜିଏସଟି ହ୍ରାସ
- ୪୪ତମ ଜିଏସଟି ପରିଷଦ ବୈଠକର ସୁପାରିସ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଶନିବାର ଭିଡିଓ କନଫରେନ୍ସିଂ ଜରିଆରେ ୪୪ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କୋଭିଡ-୧୯ ଚିକିତ୍ସା ଓ ପରିଚାଳନାରେ ବ୍ୟବହୃତ ହେଉଥିବା ନିର୍ଦ୍ଦିଷ୍ଟ କେତେକ ସାମଗ୍ରୀ ଉପରୁ ଜିଏସଟି ଦର ହ୍ରାସ କରିବା ଲାଗି ଏହି ବୈଠକରେ ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ଦରହ୍ରାସ ୩୦ ସେପ୍େଟମ୍ବର, ୨୦୨୧ ପର୍ଯ୍ୟନ୍ତ ଲାଗୁ ହେବ ।
ଏହି ବୈଠକରେ ମଧ୍ୟ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁରଙ୍କ ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଅର୍ଥ ମନ୍ତ୍ରୀ ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ତୋସିଲିଜୁମାବର ଓ ଆମ୍ଫୋଟେରିସିନ ବି ର ଜିଏସଟି ଦର ପାଂଚ ପ୍ରତିଶତରୁ ଶୂନ ପ୍ରତିଶତକୁ ହ୍ରାସ କରିବାକୁ ନିଷ୍ପତି ନିଆ ଯାଇଛି । ସେହିପରି ହେପାରିନ୍ ପରି ଆଂଟି-କୋଗୁଲାଂଟସ୍, ରେମଡିସିଭିରର ଜିଏସଟି ଦରକୁ ୧୨ ପ୍ରତିଶତରୁ ୫ ପ୍ରତିଶତ କରିବାକୁ ନିଷ୍ପତି ନିଆଯାଇଛି । କୋଭିଡ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଫାର୍ମା ବିଭାଗ ପକ୍ଷରୁ ସୁପାରିସ କରାଯାଇଥିବା ଔଷଧର ଜିଏସଟି ଦରକୁ ୫ ପ୍ରତିଶତ କରିବାକୁ ନିଷ୍ପତି ନିଆଯାଇଛି ।