ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ମହାସମାରୋହରେ ଯୋଗଦେବା ପାଇଁ ଯାତ୍ରା କଲେ ବାଲେଶ୍ୱରର ୪ ପୂଜକ
ବାଲେଶ୍ୱର : ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ ବହୁତ ପ୍ରତିକ୍ଷୀତ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପୌଷ ଶୁକ୍ଳ ସପ୍ତମୀ ତିଥିର ପୁଣ୍ୟ ମୁହୂର୍ତ୍ତରେ ଯଜ୍ଞରେ ପୂର୍ଣ୍ଣାହୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଲୋକାର୍ପଣ ହେବ ବଡ଼ଦେଉଳ ପରିକ୍ରମାର ଭବ୍ୟରୂପ । ଏହି ଲୋକାର୍ପଣ ଉତ୍ସବରେ ଯୋଗଦେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦେବେ ଅନେକ ସୁନାମଧନ୍ୟ ଅତିଥି ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ବାଲେଶ୍ୱର ଜିଲାର ୪ ଜଣ ପୂଜକ ପୁରୀ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ନୀଳଗିରି ସ୍ଥିତ ଜଗନ୍ନାଥ ମନ୍ଦିରର ମୁଖ୍ୟ ସରୋଜ କୁମାର ନନ୍ଦ ଓ ପୂଜକ ହରିବନ୍ଧୁ କର ଏବଂ ଚନ୍ଦନେଶ୍ୱର ସ୍ଥିତ ଶ୍ରୀ ଶ୍ରୀ ଚନ୍ଦନେଶ୍ୱର ମହାଦେବ ଜୀଉ ମନ୍ଦିରର ମୁଖ୍ୟ ତପନ କୁମାର ପଣ୍ଡା ଓ ପୂଜକ ବୁଦ୍ଧଦେବ ପଣ୍ଡା । ଜିଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ୱିନୀ ରାଉତଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ଦିନିଆ ଯାତ୍ରା ଆରମ୍ଭ ହୋଇଛି । ବାଲେଶ୍ୱର କଲେକ୍ଟୋରେଟ ପରିସରରୁ ନିମନ୍ତ୍ରିତ ମନ୍ଦିର ମୁଖ୍ୟମାନଙ୍କୁ ବିଦାୟ ଦେଇ ଅତିରିକ୍ତ ଜିଲାପାଳ ସୁଧାକର ନାୟକ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ଶୁଭ ମନାସୀ ଥିଲେ ।
ପ୍ରକାଶ ଥାଉକି, ଏହି ଉତ୍ସବକୁ ଜିଲାର ଦୁଇ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ୩ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ଦଳମାନ ଗଠନ ହୋଇଥିଲା, ଯେଉଁ ମାନେ ଓଡ଼ିଶାର ପ୍ରତ୍ୟେକ ଜିଲାକୁ ଗସ୍ତ କରିଥିଲେ । ଗତ ୨୦୨୩ ଡିସେମ୍ବର ୨୬ ତାରିଖରେ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ପ୍ରତିନିଧି ଦଳ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲାର ନୀଳଗିରିସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଚନ୍ଦନେଶ୍ୱରସ୍ଥ ଶ୍ରୀ ଚନ୍ଦନେଶ୍ୱର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିଥିଲେ ।