୩ୟ ଦିନିକିଆ : ଭାରତୀୟ ସ୍ପିନରଙ୍କ କମାଲ, ୯୯ ରନ୍ରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା
ନୂଆଦିଲ୍ଲୀ : ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ୟ ତଥା ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ ମୁକାବିଲା ମଙ୍ଗଳବାର ଖେଳ ଜାରି ରହିଛି। ଭାରତୀୟ ସ୍ପିନର ଜାଲରେ ଫସିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ। କୌଣସି ବ୍ୟାଟସମ୍ୟାନଙ୍କ ନିକଟରେ ଭାରତୀୟ ବୋଲରଙ୍କ ଜବାବ ନଥିଲା। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଛି। ଏହା ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଦିନିକିଆରେ ସର୍ବନିମ୍ନ ସ୍କୋର। କେବେ ହେଲେ ଦକ୍ଷିଣ ଆଫ୍ରିକା ଏତେ କମ ରନରେ ଅଲଆଉଟ ହୋଇ ନଥିଲା।
ବର୍ଷା ଯୋଗୁ ତୃତୀୟ ଦିନିକିଆ ସାମାନ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଅତିଥି ଦଳ ବ୍ୟାଟିଂ କରିଥିଲା। ଆଜି ଦକ୍ଷିଣ ଆଫ୍ରିକାର ନିୟମିତ ଅଧିନାୟକ ତେମ୍ବା ବଭୂମା ଖେଳୁ ନଥିବାରୁ ଡାଭିଡ ମିଲର କ୍ୟାପ୍ଟେନ୍ସି କରିଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ଭାରତୀୟ ସ୍ପିନରଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ ଭ୍ରମଣକାରୀ ଦଳର ବ୍ୟାଟସମ୍ୟାନ। ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା। ମଧ୍ୟକ୍ରମରେ କେବଲ ହେନରଚି କ୍ଲାସେନ(୩୪)ଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ। ସ୍ଥିତି ଏମିତି ଯେ, ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ। ଜାନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪ ରନ କରିଥିଲେ। କ୍ଵିଣ୍ଟନ ଡିକକ୍(୬), ରିଜା ହେଣ୍ଡରିକ୍ସ(୩), ଆଡନ ମାରକ୍ରମ(୯), ଡେଭିଡ୍ ମିଲର(୭), ଆଣ୍ଡିଲୋ ଫେଲୁକ୍ଵାୟୋ(୫), ବିଜର୍ଣ୍ଣ ଫରଚ୍ୟୁନ(୧), ଅନରିଚ ନର୍କିୟା(୦) ଏବଂ ଲୁଙ୍ଗି ଏନଗିଡି(୦) କରିଛନ୍ତି। କୁଲଦୀପ ଯାଦବ ଘାତକ ବୋଲିଂ କରି ମାତ୍ର ୧୮ ରନ ଦେଇ ୪ ଓ୍ଵିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକା ଇନିଂସ ଅନ୍ତ ଘଟାଇଛନ୍ତି। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।