କୁଦମାନସିଂହରେ ୩୬ ତମ ବୋଇତ ବନ୍ଦାଣ ରାହାସ ଉତ୍ସବ ଉଦ୍ଘାଟିତ
ବାଲିଆପାଳ : ବାଲିଆପାଳ ବ୍ଳକ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ କୂଳସ୍ଥ କୁଦମାନସିଂ ରାହାସ ପଡ଼ିଆ ଠାରେ ଶୁକ୍ରବାର ଅପରାହ୍ନରେ ୩୬ ତମ ବୋଇତ ବନ୍ଦାଣ ରାହାସ ଉତ୍ସବ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ କୁଦମାନସିଂ ଗ୍ରାମର ୨୧୩ ମହିଳା ସୁବର୍ଣ୍ଣରେଖା ନଦୀରୁ କଳସୀରେ ପାଣି ଆଣି ଉତ୍ସବ ମଣ୍ଡପରେ ସ୍ଥାପନ କରିଥିଲେ । ବ୍ରାହ୍ମଣ ମାନଙ୍କ ଦ୍ୱାରା ମୂଖ୍ୟ ଘଟ ସହିତ ୨୧୩ କଳସକୁ ସୁଦ୍ଧପୋତ କରାଯାଇ ପୂଜାର୍ଚ୍ଚନା ପୂର୍ବକ ଘଟ ଉତ୍ତୋଳନ କରାଯାଇ ରାହାସ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ ରାଇ ଦାମୋଦରଙ୍କ ପୁଜାର୍ଚ୍ଚନା ଏକାଦଶୀ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଉଦ୍ଯାପନ ହେବ । ମାତ୍ର ମେଳା ୪ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଗ୍ରାମ ମୁଖିଆ ଅରୁଣ ପାତ୍ର କହିଛନ୍ତି ।
ପ୍ରତ୍ୟେକ ଦିନ ପ୍ରବଚନ, ଭଜନ ସନ୍ଧ୍ୟା, ମେଲୋଡ଼ି, ନାଟକ ପରିବେଷଣ ହେବା ସହିତ ମିନା ବଜାରର ମଜା ନେବେ ଦର୍ଶକ । ଏଥି ସହିତ ଏଠାରେ ପୂର୍ବରୁ କବାଡ଼ି ଖେଳ ପ୍ରତିଯୋଗୀତା ଆରମ୍ଭ ହୋଇଯାଉଛି । ପୂର୍ଣ୍ଣିମା ଦିନ ଚୁଡ଼ାନ୍ତ ପ୍ରତିଯୋଗୀତା ହେବାର ସ୍ଥିର ହେଇଥିବା କଥା ପୂଜା କମିଟିର ସଭାପତି ମହେଶ୍ୱର ଜେନା ପ୍ରକାଶ କରିଛନ୍ତି । କମିଟିର ସମ୍ପାଦକ ପ୍ରତାପ ପାତ୍ର, ଗାଁ ମୁଖିଆ ଅରୁଣ କୁମାର ପାତ୍ରଙ୍କ ସହିତ ରଘୁନାଥ ଜେନା, ଚିତ୍ତରଞ୍ଜନ ପାତ୍ର, ସଞ୍ଜୀବ ମହାଳିକ, ସନ୍ତୋଷ ପାତ୍ର, ସୁବୁଧ ପାତ୍ର, ରଘୁନାଥ ପାତ୍ର ଏବଂ ରାହାସ କମିଟିର ସମସ୍ତ ସଦସ୍ୟ ଗ୍ରାମବାସୀଙ୍କ ସହଯୋଗରେ ଉଦ୍ଘାଟନୀ ଉତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି ।