୧୦ ଦିନରେ ୩,୪୮୮ ପଳାତକ ଗିରଫ, ବାଲେଶ୍ୱର ଜିଲାରୁ ସର୍ବାଧିକ
ଭୁବନେଶ୍ୱର : ଓଡ଼ିଶା ପୋଲିସକୁ ବଡ ସଫଳତା । ୧୦ ଦିନ ଭିତରେ ୩ହଜାର ୪୮୮ ପଳାତକଙ୍କୁ ଗିରଫ କରିଛି ପୋଲିସ । ବିଭିନ୍ନ ମାମଲାରେ ଅଭିଯୁକ୍ତ ଥାଇ ଫେରାର ଥିବା ୩ ହଜାର ୪୮୮ ପଳାତକଙ୍କୁ ଓଡ଼ିଶା ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି ।
ନଭେମ୍ବର ୫ରୁ ୧୪ ତାରିଖ ଭିତରେ ପଳାତକଙ୍କୁ ଧରିବା ଲାଗି ଓଡ଼ିଶା ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ ଲଂଚ ହୋଇଥିଲା । ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଏହି ଆଭିଯାନ ଆରମ୍ଭ ହୋଇଥିଲା । ଗିରଫ ପଳାତକଙ୍କ ମଧ୍ୟରୁ ୨୩୯୨ ଜଣଙ୍କ ବିରୋଧରେ ଜିଆର କେସ୍ ଥିବାବେଳେ ୪୦୦ ଜଣ ସିଜନାଲ୍ ଟ୍ରାଏଲ୍ କେସ୍ ଓ ୬୯୬ ଜଣଙ୍କ ବିରୋଧରେ ଅନ୍ୟାନ୍ୟ କେସ୍ ରହିଛି । ତେବେ ବାଲେଶ୍ୱର ଜିଲାରୁ ସର୍ବାଧିକ ୫୯୨ ଜଣ ୱାରେଂଟିଙ୍କୁ ଗିରଫ କରାଯାଇଥିବାବେଳେ ଗଞ୍ଜାମରୁ ୫୫୧ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୫୧୬ ଜଣ ୱାରେଂଟିଙ୍କୁ ପୋଲିସ ଗିରଫ କରିବାରେ ସମର୍ଥ ହୋଇଛି । ବଡ଼କଥା ହେଉଛି, ଗିରଫ ୱାରେଂଟିଙ୍କ ମଧ୍ୟରୁ ୨୬୪୮ ଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଥିଲା । ତେବେ ୱାରେଂଟିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ସଂପୃକ୍ତ ଜିଲ୍ଲା ପୁଲିସକୁ ରାଜ୍ୟ ପୁଲିସ ପକ୍ଷରୁ ପ୍ରଶଂସା କରାଯାଇଛି । ଓଡ଼ିଶା ଡିଜିପି ନିଜେ ସେମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି ।