କରୋନା ସହ ଲଢ଼ି ମୃତ୍ୟୁବରଣ କରିଛନ୍ତି ୩୪ଜଣ ନ୍ୟାୟିକ ଅଧିକାରୀ ଏବଂ ହାଇକୋର୍ଟର ୩ଜଣ ବିଚାରପତି
ନୂଆଦିଲ୍ଲୀ : ଗୁରୁବାର ଅନୁଷ୍ଠିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ନ୍ୟାୟିକ ଅଧିକାରୀମାନଙ୍କୁ ମନେ ପକାଇଛନ୍ତି ଭାରତର ପ୍ରଧାନ ବିଚାରପତି ଏନ.ଭି ରମଣା । ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି ଯେ, କରୋନା ସହ ଲଢ଼ି ୩୪ଜଣ ନ୍ୟାୟିକ ଅଧିକାରୀ ଏବଂ ହାଇକୋର୍ଟର ୩ଜଣ ବିଚାରପତି ମୃତ୍ୟୁବରଣ କରିଛନ୍ତି ।
ସୂଚନା ଯେ, ୨୭୬୮ ନ୍ୟାୟିକ ଅଧିକାରୀ ଏବଂ ହାଇକୋର୍ଟର ୧୦୬ ଜଣ ବିଚାରପତି ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ହୋଇଛନ୍ତି । ଏହା ସହ ୨ଟି ପ୍ରମୁଖ ହାଇକୋର୍ଟରୁ ଏପର୍ଯ୍ୟନ୍ତ ତଥ୍ୟ ଆସିନଥିବା ପ୍ରଧାନ ବିଚାରପତି ଏନ.ଭି ରମଣା କହିଛନ୍ତି । ସେହିପରି ପ୍ରାୟ ୮୦୦ ରେଜିଷ୍ଟ୍ରି କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେ ମଧ୍ୟରେ ସୁପ୍ରିମକୋର୍ଟର ୬ଜଣ ରେଜିଷ୍ଟ୍ରାର ଏବଂ ୧୦ଜଣ ଅତିରିକ୍ତ ରେଜିଷ୍ଟ୍ରାର ଅଛନ୍ତି । ଭର୍ଚୁଆଲ୍ ଶୁଣାଣିରେ ଯୋଗଦେବାକୁ ସାମ୍ବାଦିକମାନଙ୍କ ପାଇଁ ଏକ ମୋବାଇଲ୍ ସୁବିଧା ଆରମ୍ଭ କରିବା ପାଇଁ ଆୟୋଜିତ ଏକ ଭର୍ଚୁଆଲ୍ କାର୍ଯ୍ୟକ୍ରମ ସମୟରେ ପ୍ରଧାନ ବିଚାରପତି ଏହି ମନ୍ତବ୍ୟ ଦେଇଛନ୍ତି ।