ପଦ୍ମାବତୀ ବାଳିକା ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ
ସିମୁଳିଆ : ପଦ୍ମାବତୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଣାର ୩୨ତମ ବାର୍ଷିକ ଉତ୍ସବ ଶୁକ୍ରବାର ଦିବସବ୍ୟାପୀ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପୂର୍ବାହ୍ନ ୧୧ଟା ୩୦ରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତା ପଦ୍ମାବତୀ ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ୱଳନ, ପଣ୍ଡିତ ଭାରତ ଭୂଷଣ ଦାଶଙ୍କ ଦ୍ୱାରା ବେଦପାଠ, ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ଓ ସଙ୍ଗୀତ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ଅଞ୍ଚଳର ତଥା ପ୍ରାକ୍ତନ ସିମୁଳିଆ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଗୋକୁଳାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଛାତ୍ରୀ ନମିତା ତିଆଡ଼ି, ସ୍ଥିତିପ୍ରଜ୍ଞା ବେହେରା ଓ ତପସ୍ମିତା ବେହେରା ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକଦ୍ୱୟ ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ରୂପେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଦ୍ୟାଳୟର ବାର୍ଷିକ ଉତ୍ସବ ପିଲାମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ କରାଇଥାଏ ବୋଲି କହିଥିଲେ । ମୁଖ୍ୟବକ୍ତା ରୂପେ ଓଷ୍ଠା ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ବକ୍ତବ୍ୟରେ ବିଦ୍ୟାଳୟ ଜୀବନ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ସମ୍ଭାବନା ସୃଷ୍ଟିକରେ । ସରକାରଙ୍କ ଛାତ୍ରୀଛାତ୍ର ମାନଙ୍କ ପାଇଁ ଖାଦ୍ୟ, ସାଇକେଲ, ପୋଷାକ ଇତ୍ୟାଦି ପାଇଁ ଖର୍ଚ୍ଚକାଟ୍ କରି ପ୍ରଦାନ କରୁଛନ୍ତି । ଯାହା ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ହେଉନଥିବାର କହିଥିଲେ । ଅନ୍ୟ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର, ସ୍ଥାନୀୟ ସରପଞ୍ଚ ଅଞ୍ଜନା ନାୟକ, ନୟନା ମଲିକ, ଗୋବର୍ଦ୍ଧନ ମହାପାତ୍ର, ଓଷ୍ଠା ସଭାପତି ଭଗବାନ ବାରିକ, ସମ୍ପାଦକ ପ୍ରସନ୍ନ କୁମାର ଧଳ, କମଳାକାନ୍ତ ପତି, ମନୋରଞ୍ଜନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ କ୍ରୀଡ଼ା ଓ ଶିକ୍ଷାରେ କୃତ୍ତି ୧୮ଜଣଙ୍କୁ ସମ୍ମାନୀତ କରାଯାଇଥିଲା । ଛାତ୍ରୀ ସଂସଦର ସଭାପତି ତଥା ଅଧ୍ୟାପିକା ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷାକର୍ମୀ ଓ ପରିଚାଳନା ସମିତିର ସଦସ୍ୟ ମାନେ ସହଯୋଗୀ ଥିଲେ ।