୧୦ ଦିନିଆ ରିମାଣ୍ଡରେ ଗଲେ ପଶ୍ଚିମବଙ୍ଗରେ ଗିରଫ ଝାଡଖଣ୍ଡର ୩ ବିଧାୟକ
କୋଲକାତା : ବିପୁଳ ଟଙ୍କା ନେଇ ଯାଉଥିବା ବେଳେ ପଶ୍ଚିମବଙ୍ଗ ହାଓ୍ବଡାରେ ଗିରଫ ହୋଇଥିବା ଝାଡଖଣ୍ଡର ୩ କଂଗ୍ରେସ ବିଧାୟକଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି ହାଓ୍ବାଡାର ଏକ କୋର୍ଟ । ଗତକାଲି ବିଧାୟକମାନେ ଯାଉଥିବା କାରରୁ ବିପୁଳ ପରିମାଣର ଟଙ୍କା ମିଳିବା ପରେ ତାଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୋଲିସ । ଆଜି ଅପରାହ୍ନରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ତେବେ ୧୦ ଦନିଆ ପୋଲିସ ରିମାଣ୍ଡରେ ସେମାନଙ୍କୁ ପଠାଇଛନ୍ତି ଅଦାଲତ ।
ଗତକାଲି ରାତିରେ ଏକ କାରରେ ଟଙ୍କା ସହ ଧରା ପଡିଥିଲେ ଝାଡଖଣ୍ଡର ଜମତରା ବିଧାୟକ ଇରଫାନ୍ ଅନସାରୀ, ଖିଜିର ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରାର ବିଧାୟକ ନମାନ ବିକ୍ସାଲ । ସେମାନଙ୍କ ଗାଡିରୁ ପ୍ରାୟ ୬୦ ଲକ୍ଷ ଟଙ୍କା ନଗଦ ଜବତ କରିଥିଲା ପୋଲିସ । ପରେ ସେମାନଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଆଜି ସେମାନଙ୍କ ବିରୋଧରେ ଦଳ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଏହି ବିଧାୟକମାନଙ୍କୁ ନିଲମ୍ବିତ କରିଥିବା ଦଳୀୟ ରାଜ୍ୟ ପ୍ରଭାରୀ ସୂଚନା ଦେଇଥିଲେ ।
ତେବେ ହାଓ୍ବଡାର ଏକ ସ୍ଥାନୀୟ କୋର୍ଟ ଏହି ବିଧାୟକମାନଙ୍କ ବେଲ ଆବେଦନ ଖାରଜ କରିବା ସହ ସେମାନଙ୍କୁ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ଅନ୍ୟପଟେ ପୋଲିସ ପରିବର୍ତ୍ତେ ଏହି ଘଟଣାର ତଦନ୍ତ ଭାର ସିଆଇଡିକୁ ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗ ସରାକାର । ରାଜ୍ୟରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜୋରସୋରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଲାଗିଥିବା ବେଳେ ଅନ୍ୟ ରାଜ୍ୟର ବିଧାୟକମାନେ ଏତେ ପରିମାଣର ନଗଦ ଟଙ୍କା ନେଇ କୁଆଡେ ଯାଉଥିଲେ ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।