ବଜ୍ରପାତରେ ୩ ମୃତ
ବାରିପଦା : ମୟୂରଭଞ୍ଜ ଜିଲାରେ ପୃଥକ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରାପାତ ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି । ଶାମାଖୁଂଟା ବ୍ଲକ ବାହାଦୂରପୁର ଗ୍ରାମର ମାଳତୀ ମହାନ୍ତ (୫୫) ଓ ପାଣ୍ଡୁରା ଗ୍ରାମର ପାର୍ବତୀ ସିଂ ଛେଳି ଚରାଇବାକୁ ଯାଇଥିବା ବେଳେ ବଜ୍ରାଘାତରେ ମୃତ୍ୟୁ ହୋଇଛି । ସ୍ଥାନୀୟ ଗ୍ରାମବାସୀ ତୁରନ୍ତ ଉଭୟଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ଆଣିଥିଲେ । କିନ୍ତୁ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ବାରିପଦା ସଦର ଥାନା ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।
ସେହିପରି ବେତନଟୀ ବ୍ଲକ ପାଟଳିପୁରା ପଂଚାୟତ ଦେଓପଡା ଗ୍ରାମର ଜଟିଆ ସିଂଙ୍କ ଝିଅ ବେଲ ଓରଫ ରଞ୍ଜିତା (୧୩) ଘର ଅଗଣାରେ ଖେଳୁଥିବା ସମୟରେ ବଜ୍ରପାତ ହେବାରୁ ଟଳିପଡିଥିଲେ । ଆମ୍ବୁଲାନ୍ସ ନମିଳିବାରୁ ସକାଳ ପ୍ରତିନିଧି ଲମ୍ବୋଦର ଦାସ ଏକ ଅଟୋରେ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତରଖାନାକୁ ରଞ୍ଜିତାଙ୍କୁ ପଠାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଛନ୍ତି ।