ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ୩ଦିନିଆ ପ୍ରଶିକ୍ଷଣ ଶିବିର
ବାଲେଶ୍ୱର : ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଉର୍ଦ୍ଦୁ ଏକାଡ଼େମୀ ପକ୍ଷରୁ ବାଲେଶ୍ୱର ଜିଲାର ଉର୍ଦ୍ଦୁ ଶିକ୍ଷକଙ୍କ ପାଇଁ ଏକ ୩ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଷ୍ଟେସନ କ୍ଲବ ପରିସରରେ ଉଦ୍ଘାଟିତ ହୋଇଯାଇଛି । ଏଥିରେ ଉର୍ଦ୍ଦୁ ଏକାଡ଼େମୀର ସମ୍ପାଦକ ଡ. ସୟେଦ ମୁଶିର ଆଲାମ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍ଘାଟନ କରିବା ସହିତ ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଓଡ଼ିଶାର ପ୍ରତ୍ୟେକ ଜିଲାରେ ଏହି ଭଳି ଶିବିର ଆୟୋଜନ ହେଉଥିବା ବେଳେ ଉର୍ଦ୍ଦୁ ଭାଷାର ପ୍ରଚାର ତଥା ବିକାଶ ପାଇଁ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ଏହି ଶିବିରର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ଏଥିରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶର ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସରମାନେ ଯୋଗଦେଇ ବିଦ୍ୟାଳୟସ୍ତରରେ ଛାତ୍ରୀଛାତ୍ରଙ୍କୁ ଉର୍ଦ୍ଦୁ ଭାଷା ଉପରେ ବିଷଦ ଜ୍ଞାନ ପ୍ରଦାନ ସମ୍ପର୍କରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବେ ବୋଲି ଡ. ଆଲାମ କହିଥିଲେ ।
କାର୍ଯ୍ୟକ୍ରମରେ ହାଇଦ୍ରାବାଦର ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ମିଶବାହ ଅନସର, ଭୋପାଲ ସ୍ଥିତ ମୌଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡ. ଅଫାକ୍ ନଦିମ ଯୋଗଦେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଯୁବ ସଙ୍ଗଠକ ସଲିମ ରେଜାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଦିନ ଧରି ଆୟୋଜିତ ହେଉଥିବା ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ସରକାରୀ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ୱ ଉର୍ଦ୍ଦୁ ଶିକ୍ଷକ ଅଂଶଗ୍ରହଣ କରିଛନ୍ତି ।