ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିୟୋଗରେ ରାଜ୍ୟରେ ୩ ଦିନ ଶୋକ

ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଶେଷକୃତ୍ୟ
ଭୁବନେଶ୍ୱର : ଗୁଳିମାଡ଼ରେ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ୩ ଦିନ ଧରି ରାଜ୍ୟରେ ଶୋକ ପାଳନ ହେବ । ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସରକାରୀ ଭାବେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ ହେବନାହିଁ । ଆଜି ଝାରସୁଗୁଡ଼ାରେ ହେବ ନବ ଦାସଙ୍କ ଅନ୍ତିମ ସଂସ୍କାର । ଭୁବନେଶ୍ୱରରେ ସରକାରୀ ବାସଭବନରେ ନବ ଦାସଙ୍କ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି । ପରେ ଏହା ବିଜେଡି କାର୍ଯ୍ୟାଳୟକୁ ନିଆଯିବ, ସେଠାରୁ ମରଶରୀର ଝାରସୁଗୁଡ଼ା ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବ । ଅର୍ଦ୍ଧନମିତ ରହିବ ଜାତୀୟ ପତାକା । ଶେଷକୃତ୍ୟ ବେଳେ ୩ ମନ୍ତ୍ରୀ ଉପସ୍ଥିତ ରହି ସମ୍ମାନ ଜଣାଇବେ ।
ସୂଚନା ଯେ, ରବିବାର ଦିନ ଝାରସୁଗୁଡ଼ାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ପୋଲିସ ଏଏସ୍ଆଇ ଗୋପାଳ ଦାସ ଗୁଳିକରିଥିଲେ । ଯେଉଁଥିରେ ନବ ଦାସ ହିଁ ଘଟଣାସ୍ଥଳରେ ଟଳିପଡିଥିଲେ । ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଥିଲା । ସ୍ୱତନ୍ତ୍ର ବିମାନ ଯୋଗେ ନବ ଦାସଙ୍କୁ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ପହଞ୍ଚିବା ପରେ ଗ୍ରୀନ୍ କରିଡରରେ ନବ ଦାସଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଲଗାତର ଭାବେ ନବ ଦାସଙ୍କ ଚିକିତ୍ସା ଲାଗି ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ଶେଷରେ ଡାକ୍ତରଙ୍କ ଶତ ଚେଷ୍ଟା ହୋଇଥିଲା ବିଫଳ । ଆଉ ମେଡିକାଲରେ ହିଁ ଆଖିବୁଜିଥିଲେ ନବ ଦାସ ।