ଦ୍ଵିତୀୟ ଟି-୨୦ : ହୁଡ୍ଡାଙ୍କ ବିସ୍ଫୋରକ ଶତକ, ଆୟର୍ଲାଣ୍ଡକୁ ୨୨୮ ରନର ବିଜୟ ଲକ୍ଷ୍ୟ ଦେଲା ଭାରତ
ଡବଲିନ : ଡବଲିନଠାରେ ମଙ୍ଗଳବାର ଭାରତ-ଆୟର୍ଲାଣ୍ଡ ଦ୍ଵିତୀୟ ଟି-୨୦ ଖେଳା ଯାଇଛି । ଏଥିରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦୀପକ ହୁଡ୍ଡା ବିସ୍ଫୋରକ ଶତକ ଏବଂ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ବଳରେ ବିଶାଳ ସ୍କୋର କରିଛି। ନିର୍ଦ୍ଧାରିତ ଓଭରରେ ଭାରତ ୭ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର କରିଛି ଭାରତ। ଫଳରେ ଆୟର୍ଲାଣ୍ଡ ଆଗରେ ୨୨୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।
ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତର ଆରମ୍ଭ ନିରାଶଜନକ ରହିଥିଲା। ମାତ୍ର ୧୩ ରନ ସ୍କୋରରେ ଇଶାନ କିଷନ(୩) ରନ କରି ଆଉଟ ହୋଇଥିଲେ। ଏହା ପରେ ସଞ୍ଜୁ ସାମସନ ଏବଂ ଦୀପକ ହୁଡ୍ଡା ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ଆୟର୍ଲାଣ୍ଡ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଉଭୟ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ସାମସନ ଏବଂ ଦୀପକ ଦ୍ଵିତୀୟ ଓ୍ଵିକେଟ୍ରେ ୧୬୬ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ସାମସନ ୪୨ ବଲରୁ ୯ ଚୌକା ଏବଂ ୪ ଛକା ସହାୟତାରେ ୭୭ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ସୂର୍ଯ୍ୟକୁମାର ଯାଦବ ୫ ବଲରୁ ୧୫ ରନ କରିଥିଲେ। ଅନ୍ୟପଟେ ଦୀପକ ବିସ୍ଫୋରକ ବ୍ୟାଟିଂ କରି ଟି-୨୦ ଅନ୍ତର୍ଜାତୀୟରେ ପ୍ରଥମ ଶତକ ପୂରଣ କରିଥିଲେ। ସେ ୫୭ ବଲରୁ ୯ ଚୌକା ଏବଂ ୬ ଛକା ବଳରେ ୧୦୪ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। ଦୀପକ ହୁଡ୍ଡା ଟି-୨୦ କ୍ୟାରିୟରରେ ପ୍ରଥମ ଶତକ ଅର୍ଜନ କରିଛନ୍ତି। ଏହା ପରେ ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ୍ ଏବଂ ହର୍ଷଲ ପଟେଲ୍ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଶେଷ ଆଡକୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ରନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୨୨୭ ରନ କରିଥିଲା। ଏହି ମ୍ୟାଚ୍ ଜିତିଲେ ଭାରତ ସିରିଜ୍ ହାତେଇବ। ଅନ୍ୟପଟେ ସିରିଜ୍ ଡ୍ର ରଖିବାକୁ ହେଲେ ଆୟର୍ଲାଣ୍ଡକୁ ୨୨୮ ରନର ବିଜୟ ଲକ୍ଷ୍ୟ ହାସଲ କରିବାକୁ ପଡିବ।