ଦ୍ୱିତୀୟ ଦିନିକିଆ : ୱେଷ୍ଟଇଣ୍ଡିଜକୁ ୪୪ ରନରେ ହରାଇଲା ଭାରତ
ଅହମ୍ମଦାବାଦ : ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଏଠାରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇ ଥିବା ଦ୍ୱିତୀୟ ଦିନିକିଆରେ ଭାରତ ଭ୍ରମଣକାରୀ ୱେଷ୍ଟଇଣ୍ଡିକୁ ୪୪ ରନରେ ହରାଇଛି । ସୂର୍ଯ୍ୟକୁମାର ଯାଦବଙ୍କ ୬୪ ରନ ଏବଂ ବୋଲର ପ୍ରସିଦ୍ଧ କ୍ରିଷ୍ଣା ୪ ୱିକେଟ୍ ବଳରେ ଭାରତ ମ୍ୟାଚ୍ ଜିତିବାରେ ସଫଳ ହୋଇଛି । ଏହି ବିଜୟ ସହ ରୋହିତ ବାହିନୀ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହାତେଇବା ସହ ୨-୦ରେ ଅଗ୍ରଣୀ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ୍ ହରାଇ ୨୩୭ ରନ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ ୪୬ ଓଭରରେ ୧୯୩ ରନରେ ଅଲଆଉଟ୍ ହୋଇଛି । ଦଳ ପକ୍ଷରୁ ସାମରା ବ୍ରୁକ୍ସ ୪୪ ରନ କରିଥିବା ବେଳେ ଆକେଲ ହସେନ ୩୪ ରନ କରିଛନ୍ତି । ପ୍ରସିଦ୍ଧ କ୍ରିଷ୍ଣା ୯ ଓଭରରେ ମାତ୍ର ୧୨ ରନ ଦେଇ ୪ ୱିକେଟ୍ ନେଇଛନ୍ତି ।
ଭାରତ ଦ୍ୱାରା ରଖାଯାଇଥିବା ୨୩୮ ରନର ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଣ୍ଡିଜ୍ ୪୬ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା । ଇଣ୍ଡିଜ ପକ୍ଷରୁ ସାମାରା ବ୍ରୁକ୍ସ ସର୍ବାଧିକ ୪୪ ରନ ଓ ଅକିଲ ହୁସେନ ୩୪ ରନ କରିଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଓ ଶାର୍ଦ୍ଦୁଲ ଠାକୁର ୨ଟି ୱିକେଟ ନେଇଥିଲେ । ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଦଳ ଆରମ୍ଭରୁ ଅଧିନାୟକ ରୋହିତ ଶର୍ମାଙ୍କୁ ମାତ୍ର ୫ ରନରେ ହରାଇଥିଲେ । ପରେ ଋଷଭ ପନ୍ତ ଓ ବିରାଟ କୋହଲି ୧୮ ରନ ଲେଖାଁ କରି ଆଉଟ ହୋଇଥିଲେ । ତେବେ କେ.ଏଲ୍. ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ରାହୁଲ ୪୯ ରନ କରି ଆଉଟ ହୋଇଥିବାବେଳେ ଯାଦବ ସର୍ବାଧିକ ୬୪ ରନ କରିଥିଲେ । ସେହିପରି ଦୀପକ ହୁଦା ୨୯ ଓ ୱାସିଂଟନ ସୁନ୍ଦର ୨୪ ରନ କରିଥିଲେ । ଇଣ୍ଡିଜ ପକ୍ଷରୁ ଓଡିଆନ ସ୍ମିଥ ଓ ଅଲଜାରି ଜୋସେଫ ୨ଟି ଲେଖାଏଁ ୱିକେଟ ନେଇଥିଲେ ।