ବିଦେଶରେ ଲୁଚିଛନ୍ତି ୨୮ ଜଣ ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର, ତାଲିକା ପ୍ରସ୍ତୁତ କଲା ଏନ୍ଆଇଏ
ନୂଆଦିଲ୍ଲୀ : ବିଦେଶରେ ଲୁଚିଛନ୍ତି ଭାରତର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର । ଏମାନେ ବିଦେଶରେ ରହି ଭାରତର ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛନ୍ତି । ନିଜ ଗ୍ୟାଙ୍ଗ ମାଧ୍ୟମରେ ଦେଶରେ ହତ୍ୟା, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଏବଂ ଚାନ୍ଦା ଆଦାୟ କାମ କରୁଛନ୍ତି। ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାର ଶୀର୍ଷରେ ପଞ୍ଜାବୀ ଗୀତିକାର ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ ଲରେନ୍ସ ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ ସାମିଲ ରହିଛି। ପଞ୍ଜାବ ଏବଂ ରାଜସ୍ଥାନରେ ରହ କିଛି ଗ୍ୟାଙ୍ଗଷ୍ଟର ମଧ୍ୟରେ ଏଥିରେ ସାମିଲ ଅଛନ୍ତି। ସେମାନେ ଲରେନ୍ସ ଏବଂ ବବିହା ଗ୍ୟାଙ୍ଗରେ ଜଡ଼ିତ ରହିଛନ୍ତି।
ଏନ୍ଆଇଏ ଅନୁଯାୟୀ, ଏହି ଗ୍ୟାଙ୍ଗଷ୍ଟର ଦେଶରେ ଅପରାଧ କରିବା ପରେ ଜାଲ୍ ପାସ୍ପୋର୍ଟ ବନାଇ ବିଦେଶ ପଳାଇ ଥିଲେ। ଗୋଲ୍ଡି ବରାଡ ଆମେରିକାରେ ଲୁଚି ରହିଛି । ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ)କୁ ଚଲାଉ ଥିବା ଲଖବୀର ସିଂହ ଓରଫ ଲଣ୍ଡା ସହ ବରାଡର ସମ୍ପର୍କ ରହିଛି। ଲଣ୍ଡା ବିରୋଧରେ ମୋହାଲି ଏବଂ ତରନତାରନରେ ରକେଟ ପ୍ରୋପେଲ୍ଡ ଗ୍ରେନେଡ ଆକ୍ରମଣ କରିବାର ଅଭିଯୋଗ ରହିଛି। ଏହି ତାଲିକାରେ ଗ୍ୟାଙ୍ଗଷ୍ଟର ଲରେନ୍ସର ଭାଇ ଅନମୋଲ ଏବଂ ଭଣଜା ସଚ୍ଚିନ ଥାପନ ମଧ୍ୟ ସାମିଲ ଅଛି। ଅନମୋଲ ଆମେରିକାରେ ଏବଂ ଥାପନ ଅଜରବୈଜାନରେ ଲୁଚିଛି।