ଦୈନିକ କୋଭିଡ୍ ସଂକ୍ରମଣରେ ୨୮% ବୃଦ୍ଧି, ବିଭିନ୍ନ ରାଜ୍ୟରେ ଗାଇଡ୍ଲାଇନ କଡ଼ାକଡ଼ି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଦୈନିକ ମାମଲାରେ ପୁଣି ବଡ଼ ବୃଦ୍ଧି ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୩,୮୨୪ ମାମଲା ଆସିଛି, ଯାହା ଗତକାଲି ତୁଳନାରେ ୨୮ ପ୍ରତିଶତ ଅଧିକ । ଭାରତରେ ବର୍ତ୍ତମାନ ୧୮,୩୮୯ ସକ୍ରିୟ ମାମଲା ରହିଛି। ସମ୍ପ୍ରତି ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ୦.୦୪ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧,୭୮୪ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି । ଏହି ମହାମାରୀରୁ ସୁସ୍ଥ ମୋଟ ଲୋକଙ୍କ ସଂଖ୍ୟା ୪,୪୧,୭୩,୩୩୫କୁ ବୃଦ୍ଧି ପାଇଛି । ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ ୯୮.୭୭ ପ୍ରତିଶତ ରହିଛି। ଦୈନିକ ପଜିଟିଭିଟି ରେଟ୍ ୨.୮୭ ପ୍ରତିଶତ ସାପ୍ତାହିକ ସଂକମଣ ହାର ୨.୨୪ ପ୍ରତିଶତ ରେକର୍ଡ କରାଯାଇଛି ।
୨୦୨୩ରେ ଆଜି ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ସଂଖ୍ୟା ୧୮,୩୮୯ ହୋଇଛି। ଦେଶରେ ଏଚ୩ଏନ୨ ଇନ୍ଫ୍ଲୁଏଞ୍ଜା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସଂକ୍ରମଣ ବଢୁଛି। ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁସାରେ, ଦେଶରେ ବର୍ତ୍ତମାନ ସକ୍ରିୟ ସଂଖ୍ୟା ୦୦.୪ ପ୍ରତିଶତ ରହିଥିବା ବେଳେ ସୁସ୍ଥ ହାର ୯୮.୭୭ ପ୍ରତିଶତ ରହିଛି। ସଂକ୍ରମଣ ବୃଦ୍ଧିକୁ ଦେଖି ବିଭିନ୍ନ ରାଜ୍ୟରେ କରୋନା ଗାଇଡ୍ଲାଇନ କଡ଼ାକଡ଼ି କରାଯାଇଛି। କେରଳରେ ଡାକ୍ତରକାନାରେ ମାସ୍କ ବାଧ୍ୟତାମୁଳକ କରାଯାଇଥିବା ବେଳେ ୟୁପିରେ ସବୁ ପଜିଟିଭ୍ର ଜେନୋମ ସିକ୍ୟୁଏନ୍ସ ଟେଷ୍ଟ କରିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଦିଲ୍ଲୀରେ ସ୍କୁଲ୍ ଅନ୍ଲାଇନ୍ କରିବାକୁ ଦାବି ହୋଇଛି। ନହେଲେ ସ୍କୁଲ୍ରେ ମାସ୍କ ବାଧ୍ୟତାମୁଳ କରିବା ପାଇଁ ଅବିଭାବକମାନେ ଦାବି କରିଛନ୍ତି।