୨୭ରେ ରାଜ୍ୟସ୍ତରୀୟ ସ୍ନାତକୋତର ଶିକ୍ଷାର୍ଥୀ ସେମିନାର ଓ ଚିକିତ୍ସକ ସମ୍ମିଳନୀ
ଜନସମ୍ପର୍କ ଅଭିଯାନ ପାଇଁ ଉନ୍ମୋଚିତ ହେଲା ସୂଚନା ପତ୍ର
ବାଲେଶ୍ୱର : ବାଲେଶ୍ୱରରେ ଆସନ୍ତା ୨୭ ତାରିଖରେ ରାଜ୍ୟସ୍ତରୀୟ ସ୍ନାତକୋତର ଶିକ୍ଷାର୍ଥୀ ସେମିନାର ଓ ଚିକିତ୍ସକ ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ôଚଛି । ରାଜ୍ୟର ସୁନାମଧନ୍ୟ ଆୟୁର୍ବେଦିକ ଚିକିତ୍ସକ ଭାବେ ପରିଚିତ ସିଦ୍ଧ ବୈଦ୍ୟ ୰ ଶୀତିକଣ୍ଠ ଦାସଙ୍କ ସ୍ମୃତିରେ “ଆୟୁର-ଅବେଗ” ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଏନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମିଳନୀର ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ଏହି ରାଜ୍ୟସ୍ତରୀୟ ସମ୍ମିଳନୀର ସୂଚନା ପତ୍ର ଉନ୍ମୋଚନ କରି ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀକୁ ସାଧାରଣରେ ଆଦୃତ କରିବା ଓ ଏହାର ପ୍ରଚାର ପ୍ରସାର ପାଇଁ ଆୟୁର-ଅବେଗ ସଂଗଠନର ପ୍ରୟାସ ବାସ୍ତବିକ ସ୍ୱାଗତେଯାଗ୍ୟ ପଦକ୍ଷେପ ବୋଲି କହିଥିଲେ । ଭାରପ୍ରାପ୍ତ ଜିଲା ଆୟୁର୍ବେଦିକ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଜୟ କୁମାର ସେଣ୍ଢ ଯୋଗଦେଇ ସମ୍ମିଳନୀର ସଫଳତା କାମନା କରିଥିଲେ । ସମଗ୍ର ରାଜ୍ୟରୁ ଚିକିତ୍ସକମାନେ ବାଲେଶ୍ୱରରେ ପହଞ୍ôଚ ଆୟୁର୍ବେଦିକ ଚିକିତ୍ସାର ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଉପସ୍ଥାପନ ସହ ଅସାଧ୍ୟ ରୋଗର ନୂତନ ଚିକିତ୍ସାପ୍ରଣାଳୀ ଉପରେ ନିଜର ମତ ଉପସ୍ଥାପନ କରି କାର୍ଯ୍ୟକ୍ରମ ଦ୍ୱାରା ଆୟୁର୍ବେଦ ଚିକିତ୍ସା ସୁଦୂରପ୍ରସାରୀ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ସମ୍ମିଳନୀ ଆୟୋଜନ କମିଟିର ଚେୟାରମ୍ୟାନ ଡା. ଶାନ୍ତନୁ ଦାସ ଉପସ୍ଥିତ ରହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ନୂଆ ନୂଆ ଆହ୍ୱାନର ମୁକାବିଲା ପାଇଁ ସ୍ନାତକୋତର ଶିକ୍ଷାର୍ଥୀଙ୍କୁ ଅଧିକ ଗବେଷଣା କରିବା ନିମନ୍ତେ ଏହି ସମ୍ମିଳନୀ ପ୍ରୋତ୍ସାହିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଶାସ୍ତ୍ରୀୟ ସମ୍ମତ ଆୟୁର୍ବେଦରେ ନୂତନ ଉଦ୍ଭାବନ ସହ ସାମ୍ପ୍ରତିକ ସ୍ଥିତିରେ ରୋଗ ନିରାକରଣରେ ଆୟୁର୍ବେଦର ଭୂମିକା ସମ୍ପର୍କରେ ବିଶେଷଜ୍ଞମାନେ ଏଥିରେ ସନ୍ଦର୍ଭ ଉପସ୍ଥାପନ କରିବେ । ଏହି ଅବସରରେ ଆୟୁର୍ବେଦ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ସ୍ନାତକ ଶିକ୍ଷାର୍ଥୀଙ୍କୁ ସମ୍ମାନିତ କରାଯିବା ସାଙ୍ଗକୁ କୋଭିଡ କାଳରେ ସଂଘର୍ଷର ସହ ସେବା ଯୋଗାଇ ଆସିଥିବା ଉତ୍ତର ଓଡ଼ିଶାର ଆୟୁଷ ଡାକ୍ତରମାନଙ୍କୁ ବି ସମ୍ବର୍ଦ୍ଧିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଆବେଗର ସଭାପତି କବି ପ୍ରଶାନ୍ତ ଦାସଙ୍କ ସମେତ ଶଶୀରଞ୍ଜନ ମଲ୍ଲିକ ଓ ରାଜେଶ ଗିରି ପ୍ରମୁଖ ସୂଚନାପତ୍ର ଉନ୍ମୋଚନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।