ଯାଜପୁର ନଗର ଶ୍ରୀଗଣେଶ ଶିଶୁ ବିଦ୍ୟା ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
“ପିତା-ମାତା ଓ ଗୁରୁଜୀ ଗରୁମାଆ ମାନଙ୍କର ପ୍ରଚେଷ୍ଟା ରହିଲେ ଶିଶୁ ସୁ-ନାଗରିକ ହୋଇପାରିବ ।”
ଯାଜପୁର : ଯାଜପୁର ନଗର ଶ୍ରୀଗଣେଶ ବିଦ୍ୟା ମନ୍ଦିର ଓ ଶାଖା ଶୋଳମପୁର ଶିଶୁ ମନ୍ଦିରର ୨୨ତମ ବାର୍ଷିକ ଉତ୍ସବ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତିଭବନ ପରିସର ଠାରେ ଅନୁଷ୍ଠିତ ହୋଇଯାଇଅଛି । ମା’ବିରଜାଙ୍କ ପାଖରୁ ଏକ ମଶାଲ ଶୋଭାଯାତ୍ରା ସହର ପରିକ୍ରମା କରି ଉତ୍ସବ ସ୍ଥଳରେ ପହଞ୍ôଚଥିଲା । ଏହାକୁ ଶିକ୍ଷାବିତ କାମେଶ୍ୱର ପଣ୍ଡା, ପଣ୍ଡିତ ଗୋପାଳ ଦାଶ, ସାମ୍ବାଦିକ ଦିଲ୍ଲୀପ ଦାଶ ପରିଚାଳନା କରିଥିଲେ । ପ୍ରଥମ ଅଧିବେଶନରେ ଯାଜପୁରର ପୌରାଧ୍ୟକ୍ଷା ରଂଜୁଲତା ହୋତା ମୁଖ୍ୟ ଅତିଥିରୂପେ ଯୋଗଦେଇ ଶିଶୁମାନଙ୍କର ବିକାଶ ନିମନ୍ତେ ସମସ୍ତ ଅଭିଭାବକମାନେ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ । ଉପ-ପୌରପାଳ ସନ୍ତୋଷ କୁମାର ମଲ୍ଲିକ ଯୋଗଦେଇ ଶିଶୁମାନଙ୍କର ବାଲ୍ୟାବସ୍ଥାରୁ ମାଆମାନେ ଯଦି ସଠିକ୍ ଶିକ୍ଷା ଦେଇ ପାରିବେ ତେବେ ଶିଶୁ ନିଶ୍ଚିତ ଭାବରେ ଉତ୍ତମ ନାଗରିକ ହୋଇ ଗଢ଼ି ଉଠିବ ବୋଲି ମତ ପ୍ରକାଶ କରିଥିଲେ । ବରେଣ୍ୟ ଅତିଥିରୂପେ ପୂର୍ବତନ ସାଂସଦ ଅଞ୍ଚଳ ଦାସ ଯୋଗଦେଇ ବିଦ୍ୟାଳୟର ବିକାଶ ଦିଗରେ ଯାଜପୁର ଜନସାଧାରଣଙ୍କ ସହଯୋଗ ରହିବ ବୋଲି ଆଶା ପ୍ରକାଶ କରିଥିଲେ । ସମ୍ମାନିତ ଅତିଥିରୂପେ ଯଜ୍ଞପ୍ରଭାର ସମ୍ପାଦକ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯୋଗଦେଇ ତାଙ୍କର ଅଭିଭାଷଣ ରଖିଥିଲେ । ବିଦ୍ୟା ବିକାଶ ସମିତିର ସମ୍ପାଦକ ଯେଗେନ୍ଦ୍ରନାଥ ବସ୍ତିଆ ଯୋଗଦେଇ ଶିଶୁର ମାନସିକ, ଶାରିରୀକ, ନୈତିକ ଓ ବୌଦ୍ଧିକ ବିକାଶ ନିମନ୍ତେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ତଥା ପିତାମାତା ଯଦି ଉପଯୁକ୍ତ ଯତ୍ନନେବେ ତେବେ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିବ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ବିଦ୍ୟା ବିକାଶ ସମିତିର ଉପ-ସଭାପତି ଶ୍ରୀଯୁକ୍ତ ସୁରେଶ ପଣ୍ଡା, ତଥା ସଂଗଠନ ସମ୍ପାଦକ ନରହରି ସେନ, ଅଖିଳ ତ୍ରିପାଠୀ ଯୋଗଦେଇ ବିଦ୍ୟାଳୟର ଶିକ୍ଷା ପଦ୍ଧତି ସମ୍ପର୍କରେ ଅଭିଭାବକମାନଙ୍କୁ ଅବଗତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟା ପ୍ରଭାତି ବେହୁରା ସ୍ୱାଗତ ସମ୍ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ସଭାରେ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସାମ୍ବାଦିକ ତପନ ମହାରଣ୍ୟ ଶର୍ମା ସଭାପତିତ୍ୱ କରିଥିବା ବେଳେ ନବକିଶୋର ନାୟକ ଓ ତରଣୀ ରଶ୍ମିଶେଖର ମହାରଣ୍ୟ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗୀତାରାଣୀ ସାହୁ, ସ୍ମିତା ନାୟକ, ରାସେଶ୍ୱରୀ ମହାନ୍ତି, ପ୍ରିୟଙ୍କା ଓଝା, ତୃପ୍ତିମଞ୍ଜରୀ ବାରିକ, ସୁନିତା ଗୋଚ୍ଛାୟତ, ଭାଗ୍ୟଲକ୍ଷ୍ମୀ ଦାଶ, ପଞ୍ଚାନନ ପାଣି, ପ୍ରଶାନ୍ତ ଚନ୍ଦ୍ର ସାହୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମୁ ପରିଚାଳନା କରିଥିଲେ ।