ଆଫଗାନିସ୍ତାନର ପୂର୍ବତନ ସୁରକ୍ଷାବଳକୁ ଟାର୍ଗେଟ ନକରିବାକୁ ତାଲିବାନକୁ ୨୨ ଦେଶର ମିଳିତ ଚେତାବନୀ
ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ସୁରକ୍ଷା ବଳକୁ ଟାର୍ଗେଟ ନକରିବାକୁ ତାଲିବାନକୁ ଆମେରିକା ଓ ସହଯୋଗୀ ରାଷ୍ଟ୍ରମାନେ କହିଛନ୍ତି । ୨୨ଟି ଦେଶ ମିଳିତ ବୟାନରେ କହିଛନ୍ତି ଯେ ତାଲିବାନର ଇସଲାମ ସରକାର ପୂର୍ବତନ ସରକାରୀ କର୍ମଚାରୀ ଓ ସୁରକ୍ଷା ବଳକୁ ଟାର୍ଗେଟ ନକରିବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ । ବୟାନରେ କୁହାଯାଇଛି ଯେ, “ଆମେ ନିରଙ୍କୁଶ ହତ୍ୟା ଓ ଲୋକଙ୍କ ନିଖୋଜ ହେବା ରିପୋର୍ଟକୁ ନେଇ ଗଭୀର ଚିନ୍ତିତ ବୋଲି ଅଛୁ ।”
ଏହାପୂର୍ବରୁ ହ୍ୟୁମାନ୍ ରାଇଟ୍ସ ୱାଚ୍ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ଶାସନ କାଳରେ ଏପର୍ଯ୍ୟନ୍ତ ଶହେରୁ ଅଧିକ ପୂର୍ବତନ ସୁରକ୍ଷା କର୍ମୀ ନିହତ ହୋଇଛନ୍ତି । ଚାରିମାସ ପୂର୍ବରୁ ତାଲିବାନ ଆଫଗାନିସ୍ତାନକୁ ନିଜ ଅଧୀନକୁ ନେଇଥିଲା । ହ୍ୟୁମାନ୍ ରାଇଟ୍ସ ୱାଚ୍ ୪୭ ପୂର୍ବତନ ସୁରକ୍ଷା କର୍ମୀଙ୍କ ତଥ୍ୟ ସଂଗ୍ରହ କରିଛି ଯେଉଁମାନେ ଅଗଷ୍ଟ ୧୫ରୁ ଅକ୍ଟୋବର ୩୧ ମଧ୍ୟରେ ତାଲିବାନ ନିକଟରେ ଆତ୍ମସମର୍ପଣ କରିଥିଲେ କିମ୍ବା ତାଲିବାନ ଦ୍ୱାରା ଧରାପଡିଥିଲେ । ପରେ ସେମାନଙ୍କୁ ହତ୍ୟା କରାଯାଇଥିଲା ।
ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ତାଲିବାନ ନିଶ୍ଚିତ କରିଥିଲା ଯେ ପୂର୍ବତନ ସରକାରଙ୍କ କର୍ମଚାରୀ ଓ ସୈନିକମାନଙ୍କୁ କୌଣସି କ୍ଷତି କରାଯିବ ନାହିଁ । ଆମେରିକା ଏକ ସଂକ୍ଷିପ୍ତ ମିଳିତ ବୟାନ ଜାରି କରିଛି ଯେଉଁଥିରେ ୟୁରୋପୀୟ ୟୁନିଅନ୍ ଓ ବ୍ରିଟେନ ସମେତ ୧୯ଟି ଦେଶର ହସ୍ତାକ୍ଷର ରହିଛି । ଆଫଗାନିସ୍ତାନରେ ହୋଇଥିବା ହତ୍ୟା ଓ ନିଖୋଜ ଘଟଣାରେ ଏହି ଦେଶଗୁଡିକ ଉଦ୍ବେଗ ପ୍ରକାଶ କରିଛନ୍ତି ଓ ଏହାର ଗୁରୁତର ତଦନ୍ତ ଦାବି କରିଛନ୍ତି ।
ଏହାପୂର୍ବରୁ ମାନବିକ ଅଧିକାର ରିପୋର୍ଟରେ ତାଲିବାନ ବିରୋଧରେ ନିରଙ୍କୁଶ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅନେକ ଘଟଣା ଘଟିଛି ଯେଉଁଥିରେ ତାଲିବାନ ସେମାନଙ୍କ ପ୍ରତିଶ୍ରୁତି ବିରୁଦ୍ଧରେ କାର୍ଯ୍ୟ କରିଛି । ଆମନେଷ୍ଟି ଇଣ୍ଟରନ୍ୟାସନାଲ ଚଳିତ ବର୍ଷ ଅଗଷ୍ଟରେ ଏକ ରିପୋର୍ଟ ପ୍ରକାଶ କରିଛି । ଆମନେଷ୍ଟି ଜାଣିବାକୁ ପାଇଲା ଯେ ଅଗଷ୍ଟ ୩୦ରେ ପ୍ରାୟ ୩୦୦ ତାଲିବାନ ଆତଙ୍କୀ ଦହାନି କୁଲ ଗାଁ ନିକଟରେ ପହଞ୍ଚିଥିଲେ । ବହୁ ପୂର୍ବତନ ସେନାର ପରିବାର ଏଠାରେ ରହୁଥିଲେ ।
ଏହି ରିପୋର୍ଟରେ କୁହାଯାଇଛି ଯେ ତାଲିବାନ ନିକଟରେ ଆତ୍ମସମର୍ପଣ କରିଥିବା ୯ ଜଣ ସୈନିକଙ୍କୁ ଗୁଳି କରି ହତ୍ୟା କରାଯାଇଛି । କ୍ରସର ଫାୟାରରେ ଅନ୍ୟ ଦୁଇ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ଘଟଣାରେ ସଂଘର୍ଷରେ ଦୁଇ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ । ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଜଣେ ୧୭ ବର୍ଷର ଝିଅ ସାମିଲ ମଧ୍ୟ ଥିଲା ।