୨୧ରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା, ଜାରି ହେଲା ଗାଇଡଲାଇନ୍
ଭୁବନେଶ୍ୱର : ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଓ ଏକାଦଶୀ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଛନ୍ତି। ଆସନ୍ତା ୨୧ ତାରିଖ ଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ସରକାରଙ୍କ କୋଭିଡ୍ କଟକଣା ସହ ପିଲା ମାନଙ୍କର କ୍ଲାସ ଚାଲିବ ଓ ହଷ୍ଟେଲ ପରିଚାଳନା ହେବ। ଆଜି ଏକାଦଶ ଶ୍ରେଣୀ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି। ଏ ନେଇ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଗଣଶିକ୍ଷା ସଚିବ ଚିଠି ଲେଖି ଜଣାଇଛନ୍ତି। ୧୬ ତାରିଖ ବୈଠକରେ ବିସ୍ତୃତ ଆଲୋଚନା ନେଇ ଅବଗତ କରାଇଛନ୍ତି ଗଣଶିକ୍ଷା ସଚିବ।
ଗାଇଡଲାଇନ୍ ଅନୁସାରେ, ଦୂରଦୂରାନ୍ତରୁ ଆସୁଥିବା ପିଲାଙ୍କ ପାଇଁ ପ୍ରଥମ ଦିନରେ ଇଣ୍ଡକସନ ସେସନର ବ୍ୟବସ୍ଥା ହେବ। ଇଣ୍ଡକସନ ସେସନରେ ପିଲାଙ୍କ ସହ ଜଣେ ଅଭିଭାବକ ରହିବେ। ଅଧ୍ୟକ୍ଷ କିମ୍ବା ବରିଷ୍ଠ ଅଧ୍ୟାପକ ଏହି ଇଣ୍ଡକସନ କ୍ଲାସ ପରିଚାଳନା କରିବେ। ସେହିପରି ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ୟୁଟ୍ୟୁବ୍ କ୍ଲାସ ବି ହେବ। ଏକାଦଶ ପିଲାଙ୍କୁ ଦଶମ ଶ୍ରେଣୀ ସହ ଲିଙ୍କ୍ ପାଠ ମଧ୍ୟ ପଢ଼ାଇବାକୁ ପରାମର୍ଶ ଦିଆଯାଇଛି। ଗାଇଡଲାଇନ୍ ଅନୁସାରେ ଛାତ୍ରଛାତ୍ରୀମାନେ ନଭେମ୍ବର ୧ ତାରିଖରୁ ସମ୍ପୂର୍ଣ୍ଣ ୟୁନିଫର୍ମ ସହ କ୍ଲାସ୍ ରୁମକୁ ପ୍ରବେଶ କରିବେ। ସୂଚନା ଯେ, କୋଭିଡ୍ ମହାମାରୀ ପାଇଁ ପାଖାପାଖି ଦୁଇ ବର୍ଷ ଧରି ବନ୍ଦ ରହିଛି ସ୍କୁଲ। ଯେଉଁଥିପାଇଁ ପିଲାମାନେ ଘରେ ରହିଛନ୍ତି। ସ୍କୁଲ ଯାଉ ନାହାନ୍ତି। ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ରାଜ୍ୟ ସରକାର ଅନ୍ଲାଇନ୍ କ୍ଲାସ ଆରମ୍ଭ କଲେ। ମାତ୍ର ନେଟ୍ୱର୍କ ଓ ଆଣ୍ଡ୍ରଏଡ ମୋବାଇଲ୍ ଫୋନ୍ ନଥିବାରୁ ବହୁ ପିଲା ଅନ୍ଲାଇନ୍ କ୍ଲାସରୁ ବଞ୍ଚିତ ହେଉଥିଲେ। ଆଉ କିଛି ପିଲା ପାଠ ପଢ଼ା ଛାଡ଼ି ବାପା-ମାଆଙ୍କୁ କ୍ଷେତରେ ସହଯୋଗ କରୁଥିବା ଦେଖିବାକୁ ମିଳୁଥିଲା। ଏପରି ଚିତ୍ର ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ଚିନ୍ତା ପ୍ରକଟ କରିଥିଲେ ରାଜ୍ୟର ଶିକ୍ଷାବିତ ଓ ବୁଦ୍ଧିଜୀବୀ। ଏନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇବା ପରେ କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲୁଛନ୍ତି। ଏହା ପୂର୍ବରୁ ରାଜ୍ୟରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲାସରିଛି। ପୂଜା ଛୁଟି ଯୋଗୁ କ୍ଲାସ୍ ବନ୍ଦ ରହିଛି। ତେଣୁ ପୂଜା ଛୁଟି ପରେ ପୁଣି କ୍ଲାସ୍ ଖୋଲିବ।