୨୧ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବଦ, ଜଣେ ଗିରଫ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଞ୍ଚଳରେ ଦିନକୁ ଦିନ ବ୍ରାଉନ୍ସୁଗାର (ଧଳା ଜହର) କାରବାର ବଢ଼ିବାରେ ଲାଗିଛି । ଗତ କିଛି ମାସ ପୂର୍ବେ ଧଳା ଜହର ଜବଦ ହୋଇଥିବା ବେଳେ ପୁଣି ଥରେ ଗୁରୁବାର ନୀଳଗିରି ଥାନା ଅଞ୍ଚଳରୁ ଲକ୍ଷାଧିକ ଟଙ୍କାର ଧଳା ଜହର ଜବତ ହୋଇଛି । ଏହାକୁ ନେଇ ଧଳା ଜହରର ହବ୍ ପାଲଟିଛି ନୀଳଗିରି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।
ସୂଚନା ଯେ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ରାଜନଗର ଗ୍ରାମରେ ଧଳା ଜହର କାରବାର ହେଉଥିବା ନେଇ ଜିଲା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହି ପରିପ୍ରେକ୍ଷୀରେ ଗୁରୁବାର ପୂର୍ବାହ୍ନରେ ଧଳା ଜହର କିଣିବା ଉଦ୍ଦେଶ୍ୟରେ ଅବକାରୀ ବିଭାଗ ଛଦ୍ମ ବେଶରେ ଆସି ଶ୍ରୀକାନ୍ତ କୁମାର ନାୟକ (୩୯)ଙ୍କ ଘର ପାଖ ମନ୍ଦିର ନିକଟକୁ ଡକାଇ ତାଙ୍କ ନିକଟରୁ ୨୧୦ ଗ୍ରାମ ବ୍ରାଉନ ସୁଗାର ଜବଦ କରିବା ସହ ଘଟଣାସ୍ଥଳରୁ ଅବକାରୀ ବିଭାଗ ତାଙ୍କୁ ଗିରଫ କରିଥିଲା । ଧଳା ଜହର ଆନୁମାନିକ ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି । ଏନେଇ ଜିଲା ଭ୍ରାମ୍ୟମାଣ ଅବକାରୀ ଥାନା ମାମଲା (ନଂ. ୧୨୯ ।୨୦୨୩-୨୪) ରୁଜୁ କରାଯାଇଛି । ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଓ ଜିଲା ଅବକାରୀ ସୁପରିଟେଣ୍ଡେଣ୍ଟ ସୁଶାନ୍ତ କୁମାର ପାଢ଼ୀଙ୍କ ନିର୍ଦ୍ଦେଶରେ ତଥା ଜିଲା ଭ୍ରାମ୍ୟମାଣ ଅବକାରୀ ଥାନା ଅଧିକାରୀ ଗାଲୁରାମ ସୋରେନଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା । ଓଆଇସି ଭକ୍ତଚରଣ ସ୍ୱାଇଁ, ଏଏସ୍ଆଇ ମଙ୍ଗଲ କୁମାର ସିଂହ, ସୃଷ୍ଟିଧର ଦେହୁରୀ, ବିଦ୍ୟାଧର ବିନ୍ଧାଣୀ, ରଶ୍ମିରେଖା ପାତ୍ର, କାଜଲ ପ୍ରିୟଦର୍ଶିନୀ, ସୁନାରାମ ସୋରେନ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ ।