ରାତିସାରା ଦୌଡ଼ିରେ ବାନ୍ଧି ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ, ଭୁବନେଶ୍ୱରରୁ ଆସିଲା ହୃଦୟ ବିଦାରକ ଘଟଣା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପଟିଆ ରେଳ ଷ୍ଟେସନରେ ଦୁଇ ବ୍ୟକ୍ତି ୧୨-୧୪ ବର୍ଷ ବୟସର ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଭୁବନେଶ୍ୱର ଚାଇଲ୍ଡଲାଇନ ଇନଫୋସିଟି ପୋଲିସକୁ ଖବର ଦେଇଥିଲା ଓ ଉଭୟ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁସାରେ, ନାବାଳିକା ମାନେ ନିଜ ପରିବାର ସହିତ ପଟିଆ ଅଞ୍ଚଳରେ ରୁହନ୍ତି । ଏହି ପୀଡ଼ିତାମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ । ସେମାନଙ୍କୁ କାଉନସେଲିଂର ଆବଶ୍ୟକ ରହିବା ସହ ଶିଶୁ କଲ୍ୟାଣ କମିଟି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।
ଚାଇଲ୍ଡ ଲାଇନର ନିର୍ଦ୍ଦେଶକ ବେନୁଧର ସେନାପତି କହିଛନ୍ତି ଯେ, ଗତ ସୋମବାର ସନ୍ଧ୍ୟାରେ ଦୁହେଁ ପଟିଆ ରେଳ ଷ୍ଟେସନକୁ ଯାଇଥିଲେ, ସେତେବେଳେ ସେହି ଅଞ୍ଚଳର ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ରେଳ ଓଭରବ୍ରିଜକୁ ନେଇ ଯାଇଥିଲେ । ଏକ ଦଉଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିଲେ । ପୀଡିତା ନାବାଳିକା ମାନେ ଯନ୍ତ୍ରଣାରେ ଛଟପଟ ହେଉଥିଲେ କିନ୍ତୁ ଅଭିଯୁକ୍ତ ମାନେ ସେମାନଙ୍କୁ ଜୀବନରୁ ମାରି ଦେବାର ଧମକ ଦେଉଥିଲେ ।
ମଙ୍ଗଳବାର ସକାଳେ ନାବାଳିକା ମାନଙ୍କୁ ଛାଡ଼ି ଦେଇଥିଲେ । ପରେ ପୀଡ଼ିତା ନାବାଳିକା ମାନେ ଘରେ ପହଞ୍ଚି ସେମାନଙ୍କ ବାପାମାଙ୍କ ସହ ସେମାନଙ୍କର ସହ ଘଟିଥିବା ଘଟଣା ବିଷୟରେ ସବୁ ଖୋଲି କହିଥିଲେ ।
ରିପୋର୍ଟରେ କୁହାଯାଇଛି ଯେ, ଦୁଷ୍କର୍ମକାରୀ ମାନେ ମଧ୍ୟ ଏହି ମାମଲା ଲୁଚାଇବା ପାଇଁ ଟଙ୍କା ଯାଚି ଥିଲେ । ଗତକାଲି ସନ୍ଧ୍ୟାରେ ପୀଡିତାଙ୍କ ସହ ଇନଫୋସିଟି ପୋଲିସ୍, ଚାଇଲ୍ଡ ଲାଇନ୍ ଅଧିକାରୀ ଏବଂ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଜିଆରପି ଏହି ପରିପ୍ରେକ୍ଷୀରେ ଏକ ଏଫଆଇଆର ରୁଜୁ କରିଛି । ଅନ୍ୟପଟେ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ।