ବଦଳିଲା ଯୁକ୍ତ୨ ସୂଚୀ, ମେ’ ୧୯ ବଦଳରେ ୩୧ରେ ପରୀକ୍ଷା
ଭୁବନେଶ୍ବର: ବଦଳିଲା ଯୁକ୍ତ୨ ପରୀକ୍ଷା ସୂଚୀ । ୩ଟି ବିଷୟର ପରୀକ୍ଷା ସୂଚୀରେ ପରିବର୍ତ୍ତନ କରାଯାଇଛି । ଗଣିତ, ଗୃହ ବିଜ୍ଞାନ, ଭୋକେସନାଲ ବାୟୋଲୋଜି ବିଷୟରେ ହୋଇଛି ପରିବର୍ତ୍ତନ । ମେ’ ୧୯ ବଦଳରେ ୩୧ରେ ହେବ ପରୀକ୍ଷା । ବିଜ୍ଞାନ ପିଲାଙ୍କ ପରୀକ୍ଷା ସୂଚୀରେ କମ ବ୍ୟବଧାନ ଥିବାରୁ ପରୀକ୍ଷା ସୂଚୀରେ ଏହି ପରିବର୍ତ୍ତନ କରାଯାଇଛି ।
ଏସବୁ ବିଷୟର ପରୀକ୍ଷା ମେ’ ୧୯ ତାରିଖରେ କରିବାକୁ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ କରି ମେ’ ୧୯ ବଦଳରେ ମେ’ ୩୧ ତାରିଖରେ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି। କାରଣ ବିଜ୍ଞାନ ବିଭାଗ ପିଲାଙ୍କ ପରୀକ୍ଷା ସୂଚୀରେ କମ୍ ବ୍ୟବଧାନ ରହୁଛି। ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପିରି ପରିବର୍ତ୍ତନ କରିବାକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ବୋଲି କାର୍ଯ୍ୟସୂଚୀରେ ଦର୍ଶାଯାଇଛି। ଅନ୍ୟ ବିଷୟ ଗୁଡ଼ିକରେ କୌଣସି ପରିବର୍ତ୍ତନ ହୋଇ ନଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି।