ଘରୋଇ କମ୍ପାନୀ କାର୍ଯ୍ୟାଳୟରୁ ମୋବାଇଲ ଫୋନ ଓ ଚାର୍ଜର ଚୋରି ମାମଲା, ୨ ଗିରଫ
ବ୍ରହ୍ମପୁର : ଜାତୀୟ ରାଜପଥ ନମ୍ବର ୧୬ ନିକଟସ୍ଥ ଏକ ଘରୋଇ କମ୍ପାନୀ କାର୍ଯ୍ୟାଳୟରୁ ୧୩୬ଟି ବ୍ରାଣ୍ଡ ନୂଆ ମୋବାଇଲ ଫୋନ ଓ ୪ଟି ଚାର୍ଜର ଚୋରି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଚୋରି ମୋବାଇଲ ଜବତ କରାଯାଇଛି । ଗିରଫ ଦୁଇଜଣ ବ୍ରହ୍ମପୁରର ବୋଲି ପୋଲିସ କହିଛି। ୧୬ ନମ୍ବର ଜାତୀୟ ରାଜପଥ ସାହୁ କଣ୍ଟା ନିକଟସ୍ଥ ହାଇଭଲୁପ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ କମ୍ପାନୀ କାର୍ଯ୍ୟାଳୟରୁ ୧୩୬ଟି ନୂଆ ଫୋନ ଓ ୪ଟି ଚାର୍ଜର ଚୋରି ହୋଇଥିବା ନେଇ ମ୍ୟାନେଜର ବିରୁପାକ୍ଷ ଦାଶ ଗୋସାଇଁ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାରେ ସଂପୃକ୍ତ କମ୍ପାନୀରେ ସେଲସମ୍ୟାନ ଭାବେ କାମ କରୁଥିବା ୨୧ ବର୍ଷିୟ ଜି. ନରେଶ ଓ ତା’ର ସାଙ୍ଗ ୨୨ ବର୍ଷିୟ ଏସ. ଅଜୟ କୁମାର ଗତ ୧୫ ତାରିଖ ରାତିରେ ମୋବାଇଲ ଚୋରି କରିଥିଲେ ବୋଲି ତଦନ୍ତରୁ ଜଣାପଡିବା ପରେ ଗୋସାଇଁ ନୂଆଗାଁ ପୋଲିସ ସେମାନଙ୍କୁ ଗିରଫ କରିବା ସହ ମୋବାଇଲ୍ ଜବତ କରିଥିଲା । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜବତ ମୋବାଇଲ ସବୁର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ବ୍ରହ୍ମପୁର ଏସପି ବିବେକ ଶ୍ରବଣ କହିଛନ୍ତି।