୧୬ନଂ. ୱାର୍ଡ଼ର ଏକାଧିକ ସମସ୍ୟାକୁ ନେଇ ସ୍ୱର ଉଠାଉଛନ୍ତି ଲୋକେ

ବାଲେଶ୍ୱର : ବାଲେଶ୍ୱର ପୌର ନିର୍ବାଚନ ପାଇଁ ଅଧ୍ୟକ୍ଷ ଓ କାଉନ୍ସିଲର ପ୍ରାର୍ଥୀମାନେ ପ୍ରଚାର ମଇଦାନ ନିର୍ବାଚନୀ ପ୍ରଚାର ଜୋରଦାର ଜାରି ରଖିଛନ୍ତି । ୱାର୍ଡ଼ର ଘରକୁ ଘର ବୁଲି ଲୋକମାନଙ୍କୁ ସାକ୍ଷାତ କରି ବ୍ୟକ୍ତିଗତ ଓ ୱାର୍ଡ଼ର ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଉଥିବା ବେଳେ ଭୋଟରମାନେ ଏହାର କଡ଼ା ଜବାବ ଦେଉଛନ୍ତି । ୱାର୍ଡ଼ର ସମସ୍ୟା ସମ୍ପର୍କରେ ରୋକଠୋକ୍ କହୁଥିବା ବେଳେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତିକୁ ଗ୍ରହଣ କରିପାରୁ ନାହାନ୍ତି । ବାଲେଶ୍ୱର ପୌରାଞ୍ଚଳର ୧୬ନଂ. ୱାର୍ଡ଼ ସହରର ଏକ ପ୍ରମୁଖ ଅଞ୍ଚଳରେ ଅବସ୍ଥିତ । ଯେଉଁଠି ଫକୀରମୋହନ ମହାବିଦ୍ୟାଳୟ ଠାରୁ ଆରମ୍ଭ କରି ବହୁ ବେସରକାରୀ ଶିକ୍ଷାନୁଷ୍ଠାନ ରହିଛି । ଏଥିପାଇଁ ଭୋଟରଙ୍କ ଠାରୁ ଅଧିକ ପରିମାଣରେ ଛାତ୍ରୀଛାତ୍ର ଭରି ରହିଛନ୍ତି । ସେମାନଙ୍କ ପାଇଁ ଉକ୍ତ ଅଞ୍ଚଳ ବ୍ୟବସାୟୀମାନଙ୍କୁ ସୁହାଉଛି । କିନ୍ତୁ ଉକ୍ତ ଅଞ୍ଚଳରେ ସମସ୍ୟା ଭରପୁର । ପାନୀୟ ଜଳ ଯୋଗାଣ ଠାରୁ ଆରମ୍ଭ କରି ରାସ୍ତାଘାଟ, ନାଳନର୍ଦ୍ଦମା ସଫେଇ ଓ ନବୀକରଣ ସହ ପୋଖରୀ ପୁନଃରୁଦ୍ଧାର ସମସ୍ୟା ପାଇଁ ଭୋଟରମାନେ ରୋକଠୋକ୍ ପ୍ରାର୍ଥୀଙ୍କୁ ଜବାବ ଦେଉଛନ୍ତି ।
୧୬ନଂ. ୱାର୍ଡ଼ ପଢୁଆଁପଦାର ଆଂଶିକ, ବିବିଦେ ରୋଡର ଆଂଶିକ, ଏସ୍କେ ଅଗସ୍ତି ରୋଡର ଆଂଶିକ, ଫକୀରମୋହନ କଲେଜ ରୋଡ ଓ ଜେଲ ରୋଡ ପାଶ୍ୱର୍ ଅଞ୍ଚଳକୁ ନେଇ ଗଠିତ । ଏଠାରେ ୩୫୫ଟି ପରିବାରର ମୋଟ୍ ୨୨୨୨ ଭୋଟର ଅଛନ୍ତି । ସେଥିମଧ୍ୟରୁ ୧୧୪୨ ପୁରୁଷ ଓ ୧୦୮୦ ମହିଳା ଭୋଟର ଚିହ୍ନଟ ହୋଇଛନ୍ତି । ୱାର୍ଡ଼ର ଏକାଧିକ ସମସ୍ୟାକୁ ନେଇ ଲୋକେ ସ୍ୱର ଉଠାଇଛନ୍ତି । ବିଶେଷ କରି ଏହି ୱାର୍ଡ଼ର ପୁରାତନ ‘ନୂଆ ପୋଖରୀ’ର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବନ୍ଦ ରହିବାକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ପୋଖରୀ ପାଶ୍ୱର୍ରେ ସୁରକ୍ଷା ପ୍ରାଚୀର ନିର୍ମାଣ, ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆଦି ପାଇଁ ୫୦ଲକ୍ଷରୁ ଅଧିକ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା । ୭ମାସ ପୂର୍ବରୁ ଏହି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ଶେଷ ହୋଇଥିଲା । ମାତ୍ର ଅଦ୍ୟାବଧି କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ଅନ୍ୟପକ୍ଷରେ ଏହି ପୁନଃରୁଦ୍ଧାର କାର୍ଯ୍ୟ ହେବ ବୋଲି ଦୁଇବର୍ଷ ପୂର୍ବରୁ ପୋଖରୀକୁ ଶୁଖାଇ ଦିଆଯାଇଥିଲା । ଏବେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ସେଥିପାଇଁ ପୂଜା ପାର୍ବଣ, ବିବାହ ବ୍ରତରେ ଘଟ ଉତ୍ତୋଳନ ଓ ଅନ୍ୟ କର୍ମକାଣ୍ଡ ସହ ଶୁଦ୍ଧିକ୍ରିୟା କାର୍ଯ୍ୟକ୍ରମ ପାଇଁ ୱାର୍ଡ଼ବାସୀ ଅନ୍ୟତ୍ର ଯାଉଛନ୍ତି । ସେହିପରି ଦୀର୍ଘ ଦିନରୁ ଲାଗି ରହିଥିବା ପାନୀୟ ଜଳ ସମସ୍ୟା କ୍ରମଶଃ ଜଟିଳ ହେବାରେ ଲାଗିଛି । ପୂର୍ବରୁ ଥିବା ପାଇପ୍ ପାଣି ବ୍ୟବସ୍ଥା ୱାର୍ଡ଼ର ସମସ୍ତ ପରିବାରଙ୍କ ପାଇଁ ପର୍ଯ୍ୟାପ୍ତ ହେଉ ନଥିବା ବେଳେ ଉକ୍ତ ଅଞ୍ଚଳକୁ ସଠିକ୍ ଭାବେ ପାଣି ମଧ୍ୟ ଯାଇନଥିଲା । ବାରମ୍ବାର ଅଭିଯୋଗ ପରେ ଗତବର୍ଷ ଆଉ ଏକ ଗଭୀର ନଳକୂପ ଖନନ ସହ ପାଇପ୍ରେ ପାଣି ଯୋଗାଣ କରାଗଲା । ମାତ୍ର ଏଥିରୁ ବାହାରୁଥିବା କାଦୁଅ ପାଣିକୁ ନେଇ ଲୋକେ ବାରମ୍ବାର ଆପତ୍ତି କରିବା ପରେ ମଧ୍ୟ କୌଣସି ପ୍ରତିକାର ହେଉ ନଥିବା ୱାର୍ଡ଼ବାସୀ ଆରୋପ କରିଛନ୍ତି । ସେହିଭଳି ପ୍ରୁଫ ରୋଡ଼ରୁ ଏହି ୱାର୍ଡ଼ ଦେଇ ଫକୀରମୋହନ କଲେଜ ହଷ୍ଟେଲ ଦେଇ ଯାଉଥିବା ମୁଖ୍ୟ ରାସ୍ତା ଓ ଜେଲ ରୋଡରୁ ବିବେକାନନ୍ଦ ମାର୍ଗ ପର୍ଯ୍ୟନ୍ତ ରାସ୍ତା ପାଇଁ ଅନୁଦାନ ମଞ୍ଜୁରିକୁ ବର୍ଷେ ବିତିଛି । ମାତ୍ର ମାସେ ପୂର୍ବରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଅତ୍ୟନ୍ତ ମନ୍ଥର ଗତିରେ ତଥା ଅଧପନ୍ତରିଆ ଭାବେ ଚାଲିଛି । ନିର୍ମାଣଧୀନ ରାସ୍ତାଘାଟ ଓ ନାଳ କାର୍ଯ୍ୟ ଯୋଗୁଁ ଲୋକେ ଯାତାୟତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତ୍ୟେକ ନିର୍ବାଚନରେ ପ୍ରତିଶ୍ରୁତି ଶୁଣି ଶୁଣି ଦେହସୁହା ହୋଇ ଯାଇଥିବା ସାଧାରଣ ଲୋକେ ଦୀର୍ଘ ଅଢ଼େଇ ବର୍ଷ ବିଳମ୍ବରେ ହେଉଥିବା ପୌର ନିର୍ବାଚନରେ ପ୍ରାର୍ଥୀଙ୍କ କୌଣସି କଥାକୁ ଗ୍ରହଣ ପାଇଁ ପ୍ରସ୍ତୁତ ନାହାନ୍ତି । ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ପରେ ଭୋଟ୍ କଥା କହିବାକୁ ୱାର୍ଡ଼ରେ ଲୋକେ ସିଧାସଳଖ ପ୍ରାର୍ଥୀଙ୍କୁ ଶୁଣାଇଛନ୍ତି । ସୂଚନା ଯେ, ଗତ ୨୦୧୩ ପୌର ନିର୍ବାଚନରେ ଏହି ୱାର୍ଡ଼ର କାଉନ୍ସିଲର ପଦ ଅଣସଂରକ୍ଷିତ ଥିବାବେଳେ ଚଳିତ ନିର୍ବାଚନରେ ଏହା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।