ୟୁକ୍ରେନରୁ ୧୫,୯୨୦ ଭାରତୀୟ ସ୍ବଦେଶ ଫେରିଛନ୍ତି : ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ
ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ୟୁକ୍ରେନରୁ ୧୫,୯୨୦ ଭାରତୀୟ ସ୍ବଦେଶ ଫେରିଛନ୍ତି । ଆମେ ୭୬ଟି ବିମାନ ମାଧ୍ୟମରେ ୧୫,୯୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ସ୍ଥାନାନ୍ତର କରିଛୁ ବୋଲି ଟ୍ବିଟ କରି ଜଣାଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ।
ଜ୍ୟୋର୍ତିଆଦିତ୍ୟଙ୍କ ଟ୍ବିଟ ଅନୁଯାୟୀ, ୭୬ଟି ବିମାନ ମାଧ୍ୟମରେ ୧୫,୯୨୦ରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି। ସେ ମଧ୍ୟରୁ ରୋମାନିଆରୁ ୩୧ଟି ବିମାନରେ ୬,୬୮୦ ଛାତ୍ରଛାତ୍ରୀ, ପୋଲାଣ୍ଡରୁ ୧୩ଟି ବିମାନରେ ୨,୮୨୨ ଛାତ୍ରଛାତ୍ରୀ, ହଙ୍ଗେରୀରୁ ୨୬ଟି ବିମାନରେ ୫,୩୦୦ ଛାତ୍ରଛାତ୍ରୀ ଏବଂ ସ୍ଲୋଭାକିଆରୁ ୬ଟି ବିମାନରେ ୧୧୧୮ ଛାତ୍ରଛାତ୍ରୀ ଭାରତ ଫେରିଛନ୍ତି। ଅପରେସନ ଗଙ୍ଗା ଅଧିନରେ ଆରମ୍ଭ ହୋଇଥିବା ବିମାନରେ ଛାତ୍ରଛାତ୍ରୀ ଭାରତ ଫେରିଥିବା ଜଣାପଡ଼ିଛି।
ଅପରେସନ ଗଙ୍ଗା ଅଭିଯାନ ଶେଷ ପର୍ଯ୍ୟାୟରେ ଥିବା ବେଳେ ରବିବାର ଦୂତାବାସ ତୁରନ୍ତ ୟୁକ୍ରେନରେ ଥିବା ଭାରତୀୟଙ୍କୁ ବୁଦାପେଷ୍ଟରେ ପହଞ୍ଚିବାକୁ କହିଥିଲା। ଭାରତୀୟ ଦୂତାବାସ କରିଥିବା ଟ୍ବିଟରେ ଲେଖାଯାଇଥିଲା ଯେ, ଭାରତ ଦୂତାବାସ ଆଜି ଅପରେସନ୍ ଗଙ୍ଗାର ଶେଷ ବିମାନ ଉଡ଼ାଇବା ଆରମ୍ଭ କରିବାକୁ ଯାଉଛି। ଯଦି କେହି ଭାରତୀୟ ଏବେ ବି କେଉଁଠି ଅଟକି ରହିଛନ୍ତି, ତେବେ ତୁରନ୍ତ ହଙ୍ଗେରିଆ ସିଟି ସେଣ୍ଟରରେ ସ୍ଥାନୀୟ ସମୟ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ପହଞ୍ଚନ୍ତୁ। ଏହାପୂର୍ବରୁ ଏକ ଟୁଇଟରେ ଦୂତାବାସ ଭାରତୀୟମାନଙ୍କୁ ଅନୁରୋଧ କରିଥିଲା ଯେ, ଯେଉଁମାନେ ୟୁକ୍ରେନରେ ଏବେ ବି ଫସିଛନ୍ତି ସେମାନେ ଏହି ମୌଳିକ ବିବରଣୀ ଥିବା ଫର୍ମ ପୂରଣ କରନ୍ତୁ। ଦୂତାବାସର ଅଫିସିଆଲ୍ ଟ୍ୱିଟରେ ଦିଆଯାଇଥିବା ଫର୍ମରେ ଫସିରହିଥିବା ଭାରତୀୟଙ୍କ ନାମ, ପାସପୋର୍ଟ ନମ୍ବର ଏବଂ କେଉଁଠି ଫସିରହିଛନ୍ତି ତାହାର ଠିକଣା ଏବଂ ଯୋଗାଯୋଗ କରିବାର ନମ୍ବର ଦେବାକୁ କୁହାଯାଇଥିଲା। କିବରେ ଥିବା ଭାରତୀୟ ଦୂତାବାସ ଏହି ଫର୍ମ ଟ୍ବିଟ କରିଥିଲା।