ଦ୍ୱାଦଶ ଦିନରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରା
ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସକାଳେ ଯଶିପୁର ଠାରୁ “ଭାରତ ଯୋଡ଼ – ଓଡ଼ିଶା”ର ଦ୍ୱାଦଶ ଦିନର ଯାତ୍ରା ଆରମ୍ଭ ହୋଇଛି । ଏହି ଯାତ୍ରାକୁ ମୟୁରଭଞ୍ଜ ଜିଲ୍ଲା ସଭାପତି ହେମନ୍ତ ଦାସ ପରିଚାଳନା କରିଥିଲେ । ଭାରତ ଯୋଡ଼ ଯାତ୍ରୀମାନେ ଯଶିପୁର ବଜାର ପରିକ୍ରମା କରିବା ପରେ ମଧ୍ୟାହ୍ନରେ ତଟୋଠାରେ ପଂହଚିଥିଲେ । ତଟୋଠାରେ ମଧ୍ୟାହ୍ନ ବିରତିପରେ ସାରା କରଞ୍ଜିଆ ସହରକୁ ଯାତ୍ରୀମାନେ ପରିକ୍ରମା କରିଥିଲେ । ଏହି ପରିକ୍ରମା ସମୟରେ ମହିଳା ସଂଗଠନ, ବ୍ୟବସାୟୀ, ବେକାର ଯୁବକ ଯୁବତୀ, ଛାତ୍ରଛାତ୍ରୀ, ମାର୍କେଟ କମିଟି ଏବଂ ସାଧାରଣ ଜନତା ରାସ୍ତାକୁ ଆସି ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ କରିବା ସହ ଏଠିକାର ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଆସନ୍ତା କାଲି ସକାଳୁ ଭାରତଯୋଡ଼ ଯାତ୍ରୀମାନେ କେନ୍ଦୁଝର ସହର ପରିକ୍ରମା କରିବେ ।
ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ ସମ୍ବୋର୍ଦ୍ଧିତ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପୁଞ୍ଜି ଯୋଗାଡ଼ ପାଇଁ ବିଭିନ୍ନ ରାଜ୍ୟ ଏବଂ ବିଭିନ୍ନ ଦେଶକୁ ଯାଉଛନ୍ତି କିନ୍ତୁ ଯେତେସବୁ ପୁଞ୍ଜି ବିନିଯୋଗ ପାଇଁ ଦ୍ୱିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ତାହା କାର୍ଯ୍ୟକ୍ଷମ କାହିଁକି ହେଉନାହିଁ । ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ଉଭୟ ଆଦିବାସୀ ବହୁଳ ଜିଲ୍ଲା । ରକ୍ତହିନତା, ଅପପୃଷ୍ଟି, ଶିଶୁମୃତ୍ୟୁ ହାର, ମାତୃ ମୃତ୍ୟୁହାର ଏ ଜିଲ୍ଲାମାନଙ୍କରେ ବହୁ ମାତ୍ରାରେ ଅଧିକ । ରାଜ୍ୟ ରାଜକୋଷକୁ ଉଭୟ ଜିଲ୍ଲା ହଜାର ହଜାର କୋଟି ଟଙ୍କା ରାଜସ୍ୱ ଦେଉଛନ୍ତି । କିନ୍ତୁ ପ୍ରତିବଦଳରେ ଏ ଜିଲ୍ଳାର ଜନସାଧାରଣଙ୍କ ପାଇଁ ୨୨ ବର୍ଷରେ ଏକ ସରକାର ଏବଂ କେନ୍ଦ୍ରରେ ୮ ବର୍ଷର ମୋଦି ସରକାର ତିଳେମାତ୍ର ଦୃଷ୍ଟି ଦେଉନାହାନ୍ତି । ଏ ଅଂଚଳରେ ଯେତେସବୁ ଶିଳ୍ପ ଗଢ଼ିଉଠିଥିଲା କଂଗ୍ରେସ ସରକାର ସମୟରେ ଆଜି ସବୁତକ ବନ୍ଦ ହୋଇଯାଇଛି ।
ସ୍ୱର୍ଣ୍ଣଗର୍ଭା ମୟୁରଭଞ୍ଜ ଏବଂ କେନ୍ଦୁଝର ଆଜି ଶ୍ରୀହୀନ । ଲକ୍ଷ ଲକ୍ଷ ଆଦିବାସୀମାନେ ପ୍ରତିଦିନ ପ୍ରଦୁଷଣରେ ଘାଂଟି ହେଉଛନ୍ତି । କିନ୍ତୁ ସେମାନଙ୍କ ପାଇଁ ସ୍ୱଚ୍ଛ ପିଇବାପାଣି ମୁଣ୍ଡକୁ ଛାତଟିଏ ଆଜିପର୍ଯ୍ୟନ୍ତ ଯୋଗାଡ଼ ହୋଇପାରିଲା ନାହିଁ । ଏହାକଣ ନବୀନ ବାବୁ ଏବଂ ନରେନ୍ଦ୍ର ମୋଦିଙ୍କର ଏ ଉଭୟ ଜିଲ୍ଲାକୁ ଭଲପାଇବାର ନିଦର୍ଶନକି ବୋଲି ପ୍ରଶ୍ନ ପଚାରିଛନ୍ତି । ଏ ଅଂଚଳର ଜଙ୍ଗଲଜାତ ଦ୍ରବ୍ୟକୁ ନେଇ ବହୁକିଛି କୁଟୀରଶିଳ୍ପ ଓ ଛୋଟ ଶିଳ୍ପ କରାଯାଇ ପାରିଥାନ୍ତା । କିନ୍ତୁ ନବୀନ ସରକାରର ଦୂରଦୃଷ୍ଟି ଅଭାବଯୋଗୁ କେବଳ ଲୋହ ଶିଳ୍ପ ଛଡ଼ା ଏ ରାଜ୍ୟକୁ ଅନ୍ୟକିଛି ଶିଳ୍ପ ହୋଇପାରିଲା ନାହିଁ । ପର୍ଯ୍ୟଟନ କ୍ଷେତ୍ରରେ ଅପାର ସମ୍ଭାବନା ଥାଇ ମଧ୍ୟ ସରକାରୀ ଉଦାସୀନତ ଯୋଗୁଁ ଆଜି ପର୍ଯ୍ୟଟକମାନେ ଏ ଜିଲ୍ଲାକୁ ବହୁଳ ପରିମାଣରେ ଆସୁନାହାନ୍ତି । ଫଳରେ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ଉଭୟ ଏ ଅଂଚଳରେ ଯୁବକ ଯୁବତୀମାନେ ହାତଛଡ଼ା କରୁଛନ୍ତି । ଆଦିବାସୀ ବହୁଳ ଜିଲ୍ଲାର କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ହୃଦୟ ବିତାରକ । କଂଗ୍ରେସ ସରକାରକୁ ଫେରିଲେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କର ସମସ୍ୟାକୁ ଆଗ୍ରାଧିକାର ଭିତରେ ସମାଧାନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।