ଶିମିଳିପାଳ ସୁରକ୍ଷା ଦାବିରେ ଭଞ୍ଜସେନା ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ
ବାରିପଦା : ଶିମିଳିପାଳ ଜାତୀୟ ଉଦ୍ୟାନ ସୁରକ୍ଷା ଦାବିରେ ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଜିଲାବ୍ୟାପୀ ହରତାଳ କରାଯାଉଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ହରତାଳ ପାଳିତ ହେଉଛି। ଏହାଫଳରେ ଶିମିଳିପାଳ ବାଟଦେଇ ଯାତାୟତ କରୁଥିବା ଶହଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ବରେ ଅଟକିଥିବା ପରିଲକ୍ଷିତ ହୋଇଛି। ଏଣେ ଭଞ୍ଜସେନା ପକ୍ଷରୁ ବସ ଓ ଟ୍ରକ୍ ଆଦିକୁ ବନ୍ଦ କରାଯାଉଛି। ଏହାଛଡ଼ା ବାରିପଦା, ବାଙ୍ଗିରିପୋଷୀ ଓ ଠାକୁରମୁଣ୍ଡା ଆଦି ସ୍ଥାନରେ ବି ଏହି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।
ଶିମିଳିପାଳ ଅଭୟାରଣ୍ୟରୁ ବିଭିନ୍ନ ବନ୍ୟଜନ୍ତୁ ଅସୁରକ୍ଷିତ ଥିବା ଭଞ୍ଜସେନା ପକ୍ଷରୁ ଅଭିଯୋଗ ହୋଇଛି। ବ୍ୟାପକ ବନ୍ୟଜନ୍ତୁଙ୍କ ଶିକାର ହେଉଛି। ଏନେଇ ବନ୍ୟ ବିଭାଗ କୌଣସି ଦୃଷ୍ଟି ଦେଉନାହିଁ ବୋଲି ଭଞ୍ଜସେନା ପକ୍ଷରୁ କୁହାଯାଇଛି। ତେଣେ ଫେବ୍ରୁଆରି ଆରମ୍ଭରୁ ଶିମିଳିପାଳ ଅଭୟାରଣ୍ୟରେ ଲାଗିଲାଣି ନିଆଁ। ବିଭିନ୍ନ ସ୍ଥାନରେ ଜଙ୍ଗଲ ଜଳିଲାଣି। ଲୁଚିଛପି ଲୋକମାନେ ଜଙ୍ଗଲରେ ନିଆଁ ଲଗାଇ ଦେଉଥିବା ବେଳେ ଏହାକୁ ରୋକିପାରୁନି ବନ ବିଭାଗ। ବିଭାଗୀୟ କର୍ମଚାରୀ ସଚେତନତା କାର୍ଯ୍ୟକ୍ରମରେ ମାତିଥିବା ବେଳେ ଏପଟେ ଜଙ୍ଗଲ ଜଳୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ଚିନ୍ତା ପ୍ରକଟ କଲେଣି ପରିବେଶବିତ୍।