ଆସନ୍ତାକାଲି ଠୁ ପୋଲିସ ପକ୍ଷରୁ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱତନ୍ତ୍ର ଅଭିଯାନ (ସ୍ପେଶାଲ ଡ୍ରାଇଭ୍)କୁ ଜୋରଦାର କରିବାକୁ ପୋଲିସ୍ ଏସପି ଓ ଡିସିପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ପାଳନ ଉପରେ ଗୁରୁତ୍ୱ ଦେବା ସହ ଆଇନ୍ ଶୃଙ୍ଖଳା ସମ୍ପର୍କରେ ଏଡିଜିଙ୍କୁ ଦୈନିକ ରିପୋର୍ଟ ଦେବାକୁ ପୋଲିସ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ଯେ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କରୋନା ସ୍ଥିତି ସମ୍ପର୍କର୍ରେ ସମୀକ୍ଷା କରିବା ପରେ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ୍ କରି ଲୋକଙ୍କୁ ସଚେତନ କରିବାକୁ ପୋଲିସ୍ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଠାରୁ ଏହି ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ।
ସୂଚନା ଯେ, ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି ବୈଠକରେ ସେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯଥେଷ୍ଟ ସଂଖ୍ୟକ ପୁଲିସ କର୍ମୀଙ୍କୁ ନିୟୋଜିତ କରିବାକୁ ସେ ଆଦେଶ ଦେଇଥିଲେ। ଆଗାମୀ ୧୦ ଦିନ ପର୍ଯ୍ୟନ୍ତ କରୋନା କଟକଣା ସାରା ରାଜ୍ୟରେ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୋଭିଡ୍ର ଏହି ଲହର ଅତି ସଂକ୍ରାମକ। ତେଣୁ ସତର୍କ ନରହିଲେ ଏହା ବିପଦ ବଢ଼ାଇପାରେ। କରୋନା ବିପକ୍ଷରେ ବିଜୟ ହେବାକୁ ହେଲେ ବ୍ୟକ୍ତିଗତ ଓ ସାମୂହିକ ଭାବେ କଟକଣାକୁ କଡ଼ାକଡ଼ି କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ କୋଭିଡ ନିୟମ ପାଳନ କରିବାକୁ କହିଛନ୍ତି। ଏବେ ଢିଲାପଣ ହେବାର ସମୟ ନୁହେଁ। କାରଣ ଅତୀତରେ ଅନେକ ଜୀବନ ବାଜିରେ ଲାଗିଛି।