ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ଦୁଇ ଛାତ୍ରୀଙ୍କୁ ଫେରାଇ ଦେଲା କଲେଜ୍
ଉଡୁପି: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ଜାରି ରହିଛି। ହିଜାବ ବିବାଦର କେନ୍ଦ୍ରସ୍ଥଳୀ ରାଜ୍ୟର ଉଡୁପିର ଏକ କଲେଜରେ ହିଜାବ ପିନ୍ଧି ଆସିଥିବାରୁ ଦୁଇଜଣ ଛାତ୍ରୀଙ୍କୁ ପରୀକ୍ଷାରେ ବସିବାକୁ କଲେଜ କର୍ତ୍ତୃପକ୍ଷ ଅନୁମତି ଦେଇ ନାହାଁନ୍ତି । ଫଳରେ ପରୀକ୍ଷା ନଦେଇ ସେମାନେ ଫେରି ଯାଇଥିଲେ । ଏହି ଦୁଇ ଛାତ୍ରୀ ହିଜାବ୍ ସପକ୍ଷରେ ଆଇନଗତ ଲଢ଼େଇରେ ସାମିଲ ଅଛନ୍ତି।
ଏହି ଦୁଇ ଛାତ୍ରୀ ଆଲିଆ ଅସଦି ଏବଂ ରେଶମ ବୁର୍କା ପିନ୍ଧି ଶୁକ୍ରବାର ଦ୍ଵାଦଶ ବୋର୍ଡ ପରୀକ୍ଷା ଦେବାକୁ ଆସିଥିଲେ। ମାତ୍ର ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ନମିଳିବାରୁ ଦୁହେଁ ପରୀକ୍ଷା କେନ୍ଦ୍ରରୁ ଫେରି ଯାଇଛନ୍ତି। ଦୁଇ ଛାତ୍ରୀ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ କଲେଜ ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିଥିଲେ। ତଥାପି କଲେଜ୍ କର୍ତ୍ତୃପକ୍ଷ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲେ। ହିଜାବ ପ୍ରସଙ୍ଗରେ ନିଜ ସ୍ଵର ଉଠାଇ ମୁସଲିମ ଛାତ୍ରୀ ଆଲିଆ ଅସଦି ସେମାନଙ୍କ ଭବିଷ୍ୟତକୁ ବରବାଦ ହେବାରୁ ବଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇଙ୍କୁ ଅପିଲ୍ କରିଛନ୍ତି। କାରଣ କଟକଣା କାରଣରୁ ଅନେକ ଛାତ୍ରୀଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି।
ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନରେ ହିଜାବ ନିଷିଦ୍ଧ କରିଛନ୍ତି । କିନ୍ତୁ ଏବେ ବି କିଛି ଛାତ୍ରୀ ହିଜାବ ପିନ୍ଧି ଶ୍ରେଣୀଗୃହରେ ପ୍ରବେଶ କରିବାକୁ ଜିଦ୍ ଧରୁଛନ୍ତି । ମୁସଲିମ ଧର୍ମରେ ହିଜାବ ଅନିବାର୍ଯ୍ୟ ନୁହେଁ ବୋଲି କହି କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନ ଗୁଡିକରେ ହିଜାବ କଟକଣା କାଏମ ରଖିଥିଲେ । ହାଇକୋର୍ଟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।