ମହିଳା ଏସଆଇଙ୍କୁ ଆକ୍ରମଣ ଘଟଣା : ୨ ଗିରଫ, କାର୍ ଜବତ
ଭୁବନେଶ୍ୱର : ରାଜଧାନୀରେ ମହିଳା ସବ୍-ଇନ୍ସପେକ୍ଟରଙ୍କୁ ଆକ୍ରମଣ ଘଟଣାରେ ୨୪ ଘଣ୍ଟା ମଧ୍ୟରେ ୨ ଅଭିଯୁକ୍ତ ଗିରଫ । ପୁରୀରୁ ୨ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଅଭିଯୁକ୍ତ ଦ୍ବୟ ହେଲେ ଅରବିନ୍ଦ ମହାକୁଡ଼ ଓ ଚକ୍ରଧର ।
ସୂଚନା ଯେ, ଗତ ସୋମବାର ରାତିରେ ମହିଳା ଏସ୍ଆଇ ଶୁଭଶ୍ରୀ ଆକ୍ରମଣର ଶିକାର ହୋଇଥିଲେ । ଶୁଭଶ୍ରୀ ଡ୍ୟୁଟି ସାରି ଥାନାରୁ ରିଜର୍ଭ ପୋଲିସ୍ ବାରାକ୍ସ୍ଥିତ କ୍ୱାର୍ଟର୍ସକୁ ଫେରିବା ବେଳେ ଅଭିଯୁକ୍ତମାନେ ଇନୋଭା କାରରେ ପିଛା କରିଥିଲେ । ଏଥିସହ ଶୁଭଶ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି କରିଥିଲେ । ଶୁଭଶ୍ରୀ ଦରରେ ଦ୍ରୁତଗତିରେ ତାଙ୍କ କାରକୁ ବାରାକ୍ ଭିତରକୁ ନେଇଯାଇଥିଲେ । ପରେ ଅଭିଯୁକ୍ତମାନେ ନିଶାସକ୍ତ ଅବସ୍ଥାରେ ବାରାକ୍ ଭିତରେ ଖଣ୍ଡା କାଢ଼ି ହାଣିବାକୁ ଚେଷ୍ଟା କରିଥିଲେ ବୋଲି ଶୁଭଶ୍ରୀ ଏତଲାରେ ଦର୍ଶାଇଥିଲେ । ଏହାପରେ ପୋଲିସ ଆକ୍ସନ ନେଇ ୨ ଅଭିଯୁକ୍ତଙ୍କୁ ପୁରୀରୁ ଗିରଫ କରିଛି । ଏହାସହ ସେମାନ ବ୍ୟବହାର କରିଥିବା ଇନୋଭା କାର୍କୁ ମଧ୍ୟ ଜବତ କରିଛି କମିଶନରେଟ୍ ପୋଲିସ ।