ବାଲେଶ୍ୱର : ଜାଲ ଚାକିରୀ ରାକେଟର ପର୍ଦ୍ଦାଫାଶ, ୫ ଗିରଫ
କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି, ସୁନାଗହଣା ଓ ନଗଦ ଟଙ୍କା ଜବତ
ବାଲେଶ୍ୱର : ରାଜ୍ୟରେ ଏବେ ସବୁଠି ଠକେଇ । ଜାଲ୍ ସାର୍ଟିଫିକେଟ୍ ଠାରୁ ଆରମ୍ଭ କରି ଚାକିରୀ ପର୍ଯ୍ୟନ୍ତ ସବୁଠି ଏହା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲାରୁ ଠାବ ହୋଇଛି ଜବ୍ ସ୍କାମ୍ ରାକେଟ୍ (ଜାଲ ଚାକିରୀ ଠକେଇ) । ସରକାରୀ ସାଙ୍ଗକୁ ବଡ଼ ବଡ଼ କମ୍ପାନୀରେ ଚାକିରୀ କରାଇଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟ୍ । ଭଲ ଦରମାରେ ଚାକିରୀ ପାଇଁ ସୋସିଆଲ ମିଡିଆରୁ ଜାଣି ପ୍ରଥମ ଯୋଗାଯୋଗରୁ ନେଣ ଦେଣ ବାବଦରେ କଥା ଛିଡିବା ପରେ ସାର୍ଟିଫିକେଟ ଯାଂଚ ଓ ଇଂଟରଭ୍ୟୁ ଆଉ ଶେଷରେ ନିଯୁକ୍ତି ପତ୍ର । ଏସବୁ ପାଇଁ ଖର୍ଚ୍ଚ ୮୦ ହଜାରରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ମାତ୍ର ନିଯୁକ୍ତି ପତ୍ର ଜାଲ ବୋଲି ଜାଣି ଆଶାୟୀ ଥାନାର ଦ୍ୱାରସ୍ଥ ହେବା ପରେ ଧରା ପଡିଛି ଏହି ଜାଲ ନିଯୁକ୍ତି ରାକେଟ । ଏନେଇ ସହଦେବଖୁଣ୍ଟା ଥାନା ମାମଲା (ନଂ. ୧୩୧ ।୨୩), ଦଫା ୪୧୯/୪୨୦/୪୬୭/୪୬୮/୪୭୧/୩୪ ଆଇପିସିରେ ରୁଜୁ କରାଯାଇ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ଗିରଫ କରିଥିବା ବେଳେ ପ୍ରାୟ ୧ କୋଟି ଟଙ୍କାର ନଗଦ ଟଙ୍କା, ସୁନାଗହଣା ଓ ଜମି ଜବତ କରିଛି । ସେହିପରି ଘଟଣାର ମୁଖ୍ୟଅଭିଯୁକ୍ତ ଫେରାର ଥିବା ନେଇ ସହଦେବଖୁଣ୍ଟା ଥାନା ପରିସରରେ ମଙ୍ଗଳବାର ଅପରାହ୍ନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ଗିରଫ ଅଭିଯୁକ୍ତ ମାନେ ହେଲେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ଗ୍ରାମର ରାମ ମାନସ ଦେବବ୍ରତ ମଲ୍ଲିକ, ଅଜିତ କୁମାର ପଣ୍ଡା, ସମିତା ପଣ୍ଡା, ଟାଉନଥାନା ଅନ୍ତର୍ଗତ ଟୁଲଙ୍କସାହିର ସମ୍ବିତ କୁମାର ପଣ୍ଡା ଓ ସିଂଲା ଥାନା ଅନ୍ତର୍ଗତ ସୁଶୀଲ କୁମାର ମହାନ୍ତି । ତେବେ ମୁଖ୍ୟ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ସୁନ୍ଦରୀ ଗ୍ରାମର ସଞ୍ଜିବ ପଣ୍ଡା ଏ ପର୍ଯ୍ୟନ୍ତ ଫେରାର ଥିବା ଏସପି କହିଛନ୍ତି । ତେବେ ଏସପି ଦେଇଥିବା ତଥ୍ୟ ଅନୁସାରେ ମୁଖ୍ୟ ଅଭିଯୁକ୍ତ ସୋସିଆଲ ମିଡ଼ିଆକୁ ବ୍ୟବହାର କରି ଚାକିରୀ ଅଶାୟୀଙ୍କୁ ପ୍ରଲୋଭନ ଦେଖାନ୍ତି । ଆଶାୟୀଙ୍କ ସହ ପ୍ରଥମ ଦେଖାରେ ସେ ବିଭିନ୍ନ ଜିଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଚାଲିଥିବା ପୋଶନ୍ ଅଭିଯାନରେ ପ୍ରୋଜେକ୍ଟ ଆସିଷ୍ଟାଣ୍ଟ ଓ ଜିଲା ସଂଯୋଜକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜୁନିଅର ଆସିଷ୍ଟାଣ୍ଟ, ମୟୁରଭଞ୍ଜ ଜିଲାର ଜଙ୍ଗଲ ବିଭାଗ ଅଧୀନରେ କମ୍ୟୁନିଟି ସଂଗଠକ ପ୍ରଭୃତି ସରକାରୀ ଚାକିରୀ ସହିତ ଟାଟା ଷ୍ଟିଲ୍, ଭାରତୀୟ ରେଳବାଇରେ ଚାକିରି କରାଇଦେବାର ପ୍ରତିଶୃତି ଦିଅନ୍ତି । ସେଥିପାଇଁ ପ୍ରତ୍ୟେକ ଆଶାୟୀଙ୍କ ଠାରୁ ୮୦ହଜାରରୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରନ୍ତି । ଆଶାୟୀମାନେ ମୁଖ୍ୟ ଅଭିଯୁକ୍ତର ସର୍ତ୍ତରେ ରାଜି ହେବା ପରେ ଜାଲ ନିଯୁକ୍ତି ରାକେଟର ସହଯୋଗୀମାନଙ୍କ ସହାୟତାରେ ଭୂବନେଶ୍ୱରରେ ସାର୍ଟିଫିକେଟ ଯାଞ୍ଚ ଓ ନକଲି ସାକ୍ଷାତକାର ଆୟୋଜନ କରାଯାଏ । ଏପରିକି ଚାକିରୀ ଆଶାୟୀମାନଙ୍କ କୋଭିଡ୍ ଟେଷ୍ଟ ବି ହୁଏ । ଆଶାୟୀଙ୍କ ଠାରୁ ସାର୍ଟିଫିକେଟ ଯାଂଚ ବେଳେ କିଛି ଓ ସାକ୍ଷାତକାର ସମୟରେ କିଛି ଏବଂ ବାକି ଟଙ୍କା ନିଯୁକ୍ତି ପତ୍ର ଦେବା ସମୟରେ ମୁଖ୍ୟ ଅଭିଯୁକ୍ତ ନେଇଥାନ୍ତି । ବିପୁଳ ଅର୍ଥ ସଂଗ୍ରହ ପାଇଁ ଅଭିଯୁକ୍ତମାନେ କେତେବେଳେ ନଗଦ ଅର୍ଥ ନେଇଛନ୍ତି ଅଥବା ଅନ୍ୟ କେତେବେଳେ ଅନଲାଇନ କାରବାର ବି କରିଥିବା ଏସପି ସୂଚନା ଦେଇଛନ୍ତି । ବିଭିନ୍ନ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ଫର୍ମ ଏବଂ ନିଯୁକ୍ତି ପତ୍ରରେ ଜାଲ ସରକାରୀ ଷ୍ଟାମ୍ପ ଓ ଲୋଗ ବ୍ୟବହାର କରାଯାଇଛି । ଏମତି ଭାବେ କାଗଜପତ୍ର ପ୍ରସ୍ତୁତ କରାଯାଇଛି ଯେ କୌଣସି ପ୍ରକାରେ ଆଶାୟୀମାନେ ଅବିଶ୍ୱାସ କରିବେ ନାହିଁ । ତେବେ ନିଯୁକ୍ତି ପତ୍ରକୁ ନେଇ ସମ୍ପୃକ୍ତ ବିଭାଗରେ ପହଂଚିବା ପରେ ତାହା ଜାଲ ବୋଲି ଜଣା ପଡିଥିଲା । ଏହାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପ୍ରାଥମିକ ଅନୁସନ୍ଧାନରୁ ଏହି ରାକେଟ ଶତଧିକ ଆଶାୟୀଙ୍କୁ ଠକିଥିବା ଜାଣିବାକୁ ପାଇଥିଲା । ଏହିଭଳି ଭାବେ ଅଭିଯୁକ୍ତମାନେ ବିଭିନ୍ନ ଆଶାୟୀଙ୍କ ଠାରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆଦାୟ କରିଥିବା ଜଣାପଡିଛି । ଗିରଫ ସମୟରେ ନକଲି ନିଯୁକ୍ତି ପତ୍ର, ଆବେଦନ ଫର୍ମ, ନଗଦ ୩ଲକ୍ଷ ୯ହଜାର ଟଙ୍କା, ୧୦ଲକ୍ଷ ୫୦ହଜାର ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଜବତ କରାଯାଇଛି । ଏହା ସହିତ ଅପରାଧରେ ବ୍ୟବହୃତ ଅଭିଯୁକ୍ତଙ୍କର ଏକାଧିକ ବ୍ୟାଙ୍କ ଆକାଉଣ୍ଟ, ଘର ସମ୍ପତ୍ତି ରେକର୍ଡ ପ୍ରଭୃତି ସିଜ୍ କରାଯାଇଛି । ଏହି ପ୍ରକ୍ରିୟାରେ ପ୍ରାୟ ପୋଷ୍ଟ ଅଫିସ୍ ଆକାଉଣ୍ଟରେ ଜମାଥିବା ୨୮ଲକ୍ଷ ଟଙ୍କା ଓ ପ୍ରାୟ ୮୦ ଲକ୍ଷ ମୂଲ୍ୟର ସମ୍ପତ୍ତି ଫ୍ରିଜ୍ ହୋଇଛି । ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି । ଏହି ଘଟଣାରେ ଲିଙ୍କ ବିଷୟରେ ଅନୁସନ୍ଧାନ ପାଇଁ ଦୁଇଟି ପୁଲିସ ଟିମ୍ ଦକ୍ଷିଣ ଭାରତର ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସପି ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସିଟି ଡିଏସପି ଗାୟତ୍ରୀ ପ୍ରଧାନ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଉପସ୍ଥିତ ଥିଲେ ।