ନାବାଳକକୁ ଚେଙ୍କ ସହ ବେଲ୍ଟରେ ମାଡ ଅଜା ଓ ଆଈଙ୍କ ପକ୍ଷରୁ ଥାନାରେ ଏତଲା
କଟକ : ମର୍କତନଗର ଥାନା ଅନ୍ତର୍ଗତ ସିଡିଏ ସେକ୍ଟର ୭ରେ ଘଟିଛି ଏକ ଅଭାବନୀୟ ଘଟଣା । ୯ ବର୍ଷରୁ ପୁଅ ଅଝଟ ହେବାରୁ ଦାଦା ଓ ଖୁଡି ଚେଙ୍କ ସହ ବେଲ୍ଟରେ ମାଡ ମାରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ନାବାଳକର ଅଜା ଓ ଆଈ । ଅଭିଯୋଗକାରୀ ଆଈ ବୈଜୟନ୍ତୀ ରାଉତ, ଅଜା ମଦନ ମୋହନ ରାଉତଙ୍କ ଘର ଢେଙ୍କାନାଳ ମାନପୁର ଅଂଚଳରେ । ତାଙ୍କ ଝିଅ ୨୦୧୩ରେ ବଅଁରପାଳ ଅଂଚଳର ମୂଳବାସିନ୍ଦା ତଥା କଟକ ସିଡିଏରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲା । ନାତି ଜନ୍ମ ପରେ ଝିଅ ପୁଣି ଗର୍ଭବତୀ ହୋଇଥିଲା । ୮ ମାସର ଗର୍ଭ ଥିବା ବେଳେ ଝିଅର ଅକସ୍ମାତ ମୃତ୍ୟୁ ଘଟିଥିଲା । ତେବେ ପରେ ଜ୍ୱାଇଁ ଦ୍ୱିତୀୟ ବିବାହ କରିଥିଲେ । ହେଲେ ଦୁହିଁଙ୍କ ଭିତରେ ମନମାଳିନ୍ୟ ଯୋଗୁ ବିବାହ ବିଚ୍ଛେଦ ହୋଇଯାଇଥିଲା । ଏହି ସମୟରେ ନାତିର ସୁରକ୍ଷା ନେଇଥିଲେ ଅଜାଆଈ । ନାତି ଦ୍ୱିତୀୟ ଶ୍ରେଣୀ ପଢିବା ସମୟରେ କଟକରେ ରହୁଥିବା ତା’ର ଜେଜେ ବାପା ଓ ଜେଜେମା ନାତିର ଦାୟିତ୍ୱ ନେବେ ବୋଲି କହି ନାତିକୁ କଟକ ନେଇଆସିଥିଲେ । ସେଠାରେ ଦାଦା ଓ ଖୁଡିଙ୍କ ପାଖରେ ନାବାଳକଟି ରହି ପଢୁଥିଲା । ଦଶହରା ଦିନ ନାତିକୁ ଦେଖିବାକୁ କଟକ ଆସିଥିଲେ ଅଜା ଓ ଆଈ । ତାଙ୍କ ସାଙ୍ଗରେ ଗାଁକୁ ବୁଲିବାକୁ ନାତିକୁ ନେଇଆସିଥିବା ବେଳେ ନାତି ଅଜା ଆଈଙ୍କୁ ଦାଦା ଖୁଡି କିପରି ତାକୁ ଚେଙ୍କ ଓ ମାଡ ମାରୁଥିଲେ ସବୁକଥା କହିଥିଲା । ତାକୁ ମାସାଧିକ କାଳ ଏପରି ନିର୍ଯାତନା ଦିଆଯାଇଥିବା ନାବାଳକଟି ଅଜା ଆଈଙ୍କୁ କହିଥିଲା । ଯଦି ଏକଥା କାହା ଆଗରେ କହିବୁ ତେବେ ତତେ ମାରିଦେବୁ ବୋଲି ମଧ୍ୟ ଧମକ ଦେଇଥିବା ସେ ଅଜା ଆଗରେ କହିଥିଲା । ନାବାଳକଟି ପୋଲିସ ଆଗରେ ମଧ୍ୟ ଏହି ଲୋମଟାଙ୍କୁରା ନିର୍ଯାତନା କଥା କହିଛି । ନାବାଳକଟିର ତଣ୍ଟି, ହାତ, ଗୋଡ, ପିଠି ଆଦି ବିଭିନ୍ନ ସ୍ଥାନରେ ଚେଙ୍କ ଓ ମାଡର ଦାଗ ରହିଥିବା ଦେଖିବାକୁ ମିଳିଥିଲା । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଆଇପିସି ଦଫା ୫୦୬, ୩୨୩, ୩୨୪, ୩୪୧ ଓ ୨୩ ଜୁଭେନାଇଲ ଆକ୍ଟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ନାବାଳକର କାଉନସିଲିଂ ସହ ସୁରକ୍ଷା ଓ ଯତ୍ନ ନିମନ୍ତେ ତାକୁ ସିଡବ୍ଲ୍ୟୁସିରେ ଥାନା ପୋଲିସ ହାଜର କରିବ ବୋଲି ଜଣାଯାଇଛି ।