ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଭୀଷଣ ରୂପ ନେଉଛି ପ୍ରତିବାଦ: ଆଜି ବିଜେପିର ୧୨ ଘଣ୍ଟିଆ ବନ୍ଦ ଡାକରା

କଲକାତା : ଆର.ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା କରାଯିବା ପ୍ରତିବାଦରେ ଦୁଇ ସପ୍ତାହ ହେଲା ପଶ୍ଚିମବଙ୍ଗରେ ବିକ୍ଷୋଭ, ଶୋଭାଯାତ୍ରା ଲାଗି ରହିଛି। ଏହି କ୍ରମରେ ମଙ୍ଗଳବାର ପଶ୍ଚିମବଙ୍ଗ ଛାତ୍ର ସମାଜ ଓ ସଂଗ୍ରାମୀ ମିଳିତ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ନବାନ୍ନ ଅଭିଯାନ କରାଯାଇଛି। ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଶୋଭାଯାତ୍ରାରେ ବାହାରି ରାଜ୍ୟ ସଚିବାଳୟ (ନବାନ୍ନ)ଅଭିମୁଖେ ଯାଇଥିଲେ। ତେବେ ରାଜ୍ୟ ପ୍ରଶାସନ ପୁଲିସ ବଳ ପ୍ରୟୋଗ ପୂର୍ବକ ଅଭିଯାନକୁ ବିଭିନ୍ନ ସ୍ଥାନରେ ଅଟକାଇଥିଲା। ବିଭିନ୍ନ ସ୍ଥାନରେ ପୁଲିସ ବାରିକେଡ କରି ବିକ୍ଷୋଭକାରୀଙ୍କୁ ଅଟକାଇବା ସହ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହିତ ପାଣି ଓ ଲାଠିମାଡ କରିଥିଲା। ଏପରି କି ବିଭିନ୍ନ ସ୍ଥାନରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କେତେକ ସ୍ଥାନରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ଟେକାପଥର ମାଡ କରିଥିଲେ। ସଂଘର୍ଷରେ ୧୫ଜଣ ଆହତ ହୋଇଛନ୍ତି। ପୁଲିସ ୧୨୬ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ୧୦୨ ପୁରୁଷ ଓ ୨୩ଜଣ ମହିଳା ଅଛନ୍ତି। ପୁଲିସର ଏପରି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ବିଜେପି ଆଜି (ବୁଧବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଛି।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ଆଜି ସକାଳୁ ହିଁ ଦେଖିବାକୁ ମିଳିଛି। ମୁର୍ଶିଦାବାଦରେ ଭାଗିରଥି ଏକ୍ସପ୍ରେସକୁ ଦେଢ଼ ଘଣ୍ଟା ଅଟକାଇ ଦିଆଯାଇଛି। ସେପଟେ ବ୍ୟାରକପୁର ଷ୍ଟେସନରେ ଲୋକେ ରେଲଓ୍ୱେ ଟ୍ରାକ୍ ଉପରେ ବସି ଧାରଣା ଦେଇଛନ୍ତି। ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ସକାଳ ୧୧ଟାରେ ବାହୁଇହାଟିରେ ବନ୍ଦକୁ ସମର୍ଥନ କରି ପ୍ରଦର୍ଶନ କରିବେ। ରୁପା ଗାଙ୍ଗୁଲି, ଲକେଟ୍ ଚାଟାର୍ଜୀ, ଅଗ୍ନିମିତ୍ରା ପଲ୍ ଏବଂ ରାହୁଲ ସିହ୍ନା ସକାଳ ୧୦ ଟାରୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବେ|