ଗନ୍ଧମାର୍ଦ୍ଦନରୁ ରେଳରେ ଖଣିଜ ପରିବହନ ଯୋଜନା ଚୂଡ଼ାନ୍ତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଜୀବିକାର ମୁଖ୍ୟ ମାଧ୍ୟମ ହେଉଛି ଖଣିଜ ଉତୋଳନ ଏବଂ ପରିବହନ । ଖଣିରୁ ଲୁହାପଥର ଯାନ୍ତ୍ରିକ ଉପାୟରେ ଉତୋଳନ ହେଉଥିବାରୁ ସେଥିରେ ବିଶେଷ ନିଯୁକ୍ତି ସୁଯୋଗ ନ ଥାଏ । ତେଣୁ ଟ୍ରକ୍ରେ ଲୁହାପଥର ପରିବହନ ବ୍ୟବସ୍ଥାରେ କେନ୍ଦୁଝର ଯୁବଗୋଷ୍ଠୀ ଜୀବିକା ଉପାର୍ଜନ କରୁଛନ୍ତି । ଲୁହାପଥର ପରିବହନ ପାଇଁ ସ୍ଲରି ପାଇପ୍ ଲାଇନ ଏବଂ ରେଳପଥର ବ୍ୟବହାର ହେବାଫଳରେ ଟ୍ରକ୍ ଯୋଗେ ଖଣିଜ ପରିବହନ ସଙ୍କୁଚିତ ହେବାରେ ଲାଗିଛି । ଶେଷ ଖଣି ଭାବେ ଗନ୍ଧମାର୍ଦ୍ଦନ ଖଣିରୁ ଲୁହାପଥର ଏବେ ଟ୍ରେନ ଯୋଗେ ଯିବା ପାଇଁ ଯୋଜନା ଚୂଡ଼ାନ୍ତ ହେବାରୁ କେନ୍ଦୁଝର ଯୁବଗୋଷ୍ଠୀଙ୍କ ଜୀବିକା ଆଶଙ୍କା ଭିତରକୁ ଠେଲି ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ, କେନ୍ଦୁଝର ସଦର ବ୍ଲକର ପର୍ଜନପୁର ରେଳ ସାଇଡିଂଠାରୁ ଗନ୍ଧମାର୍ଦ୍ଦନ ଲୁହାପଥର ଖଣି ପର୍ଯ୍ୟନ୍ତ ରେଳପଥ ନିର୍ମାଣ ଖୁବ୍ଶୀଘ୍ର ହେବ । ଏହି ୧୨.୭୬ କିଲୋମିଟର ଦୂରତା ବିଶିଷ୍ଟ ରେଳପଥ ପାଇଁ ୧୮୯.୯୩ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ପ୍ରାରମ୍ଭିକ ଆକଳନ ସରିଛି । ଏହି ରେଳପଥ ନିକଟସ୍ଥ ନୂଆଗାଁ, ଡିମିରିଡିହା, ହାତୀକୁଚା, ବରଦାପାଳ, ମଦରଙ୍ଗାଯୋଡି, ତଳକମ୍ପଡିହି, ନାଉପଦା, ଉପରକଇଁସାରି ଏବଂ ନିଟିଗୋଠ ଗାଁ ଦେଇଯିବ । ମୋଟ୍ ୧୦୦.୧୬୪ ଏକର ଜମିରେ ଏହି ରେଳପଥ ନିର୍ମାଣ ନେଇ ସର୍ଭେ କାର୍ଯ୍ୟ ମଧ୍ୟ ଇତିମଧ୍ୟରେ ଶେଷ ହୋଇଛି । ଯୋଡ଼ା ଖଣି ମଣ୍ଡଳରେ ଥିବା ଖଣିଗୁଡ଼ିକରୁ ଅଧିକାଂଶ ଟ୍ରେନ୍ ଏବଂ ପାଇପ୍ଲାଇନ୍ ଯୋଗେ ଲୁହାପଥର ପରିବହନ ହେଉଥିବା ବେଳେ ଜିଲ୍ଲାର ଏକମାତ୍ର ଖଣି ଭାବେ ଗନ୍ଧମାର୍ଦ୍ଦନରୁ କେବଳ ଟ୍ରକ୍ ଯୋଗେ ଲୁହାପଥର ପରିବହନ ହୋଇଥାଏ । ଏହି ଖଣି ଉପରେ ପ୍ରାୟ ୧୦ ହଜାର ଟ୍ରକ ମାଲିକ, ଟ୍ରକ୍ ଚାଳକ ଏବଂ ସହଯୋଗୀ କର୍ମଚାରୀଙ୍କୁ ମିଶାଇ ୩୦ ହଜାର ପରିବାର ନିର୍ଭରଶୀଳ । ଖାଲି ସେତିକି ନୁହେଁ, ଟାୟାର ଦୋକାନୀଙ୍କଠୁ ଆରମ୍ଭ କରି ଗ୍ୟାରେଜ କରି ପ୍ରାୟ ହଜାରରୁ ଅଧିକ ପରିବାର ପେଟ ପୋଷନ୍ତି । ତେଣୁ ଏହି ଗନ୍ଧମାର୍ଦ୍ଦନ ଖଣିରୁ ରେଳପଥରେ ଲୁହାପଥର ପରିବହନ ହେଲେ ଟ୍ରକ୍ରେ ଖଣିଜ ପରିବହନ ସହିତ ଜଡ଼ିତ ଥିବା ଯୁବଗୋଷ୍ଠୀ ବାହାର ରାଜ୍ୟକୁ ଦାଦନ ଯିବାର ଆଶଙ୍କା ସୃଷ୍ଟି ହୋଇଛି । କେନ୍ଦୁଝର ଜିଲ୍ଲାରେ ଥିବା ଲୁହାପଥର ଖଣିରୁ ଟ୍ରକ୍, ଟ୍ରେନ୍ ଏବଂ ସ୍ଲରି ପାଇପ୍ଲାଇନ୍ରେ ପରିବହନ ହୋଇଥାଏ । ପ୍ରାରମ୍ଭରେ କେବଳ ଟ୍ରକ ଯୋଗେ ବିଭିନ୍ନ ଇସ୍ପାତ କାରଖାନାକୁ ଲୁହାପଥର ପରିବହନ ହେଉଥିଲା । ମାତ୍ର ପରେ ବିଭିନ୍ନ ଖଣି ନିକଟକୁ ରେଳପଥର ସୁବିଧା ହୋଇଥିଲା । ଏହାପରେ ପାଇପ୍ଲାଇନ ଯୋଗେ ମଧ୍ୟ ଲୁହାପଥର ପରିବହନ ହେଲା । କିନ୍ତୁ, ଗତ କିଛିମାସ ତଳେ ସରକାର ଆଉ ୪ଟି ସ୍ଲରି ପାଇପ୍ଲାଇନ୍ ପାଇଁ ଅନୁମତି ଦେବା ପରେ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବିରୋଧ ହୋଇଥିଲା । ଏମିତି କି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ସହିତ ପାଇପ୍ ଲାଇନ୍ କାର୍ଯ୍ୟ କରୁଥିବା ଠିକାସଂସ୍ଥାର ମେସିନକୁ ମଧ୍ୟ ଟ୍ରକ୍ ମାଲିକମାନେ ପୋଡ଼ି ଦେଇଥିଲେ । କିନ୍ତୁ, ଏବେ ଗନ୍ଧମାର୍ଦ୍ଦନ ଲୁହାପଥର ଖଣିରୁ ଟ୍ରେନ୍ ଯୋଗେ ଲୁହାପଥର ପରିବହନ ପାଇଁ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଥିବା ଜାଣିବା ପରେ କେନ୍ଦୁଝରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।