ଖାର୍କିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପଣବନ୍ଦୀ ରଖିଛି ୟୁକ୍ରେନୀୟ ସେନା : ରୁଷ
ନୂଆଦିଲ୍ଲୀ : ୟୁକ୍ରେନ୍କୁ ଚାରିପଟୁ ଘେରି ରହିଛି ରୁଷ। ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବାକୁ ଚଳାଇଛି ପ୍ରାଣମୂର୍ଚ୍ଛା ଉଦ୍ୟମ । କିଭ୍କୁ ଦଖଲ କରିବା ପାଇଁ ରୁଷ ମିସାଇଲ ମାଡ ଜାରି ରଖିଛି । ଅନ୍ୟପଟେ ପଛକୁ କେହି ହଟିବାରେ ନାଁ ଧରୁ ନାହାନ୍ତି । ଯାହାକୁ ନେଇ ସାରା ସାରା ବିଶ୍ୱ ଏବେ ଚିନ୍ତାରେ । ଏହାରି ମଧ୍ୟରେ ବିଶ୍ବର ଅନେକ ଦେଶ ତଥା ଆନ୍ତର୍ଜାତୀୟ ସଂଗଠନ ଋଷିଆ ଉପରେ ଅନେକ କଠୋର ପ୍ରତିବନ୍ଧକ ଲଗାଇଛନ୍ତି । ଖାର୍କିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଥିବା କଥା ରୁଷୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଭିଯୋଗ କରିଛି ।
ସାମ୍ବାଦିକ ସମ୍ମିଳନୀରେ ରୁଷୀୟ ସେନାର ପ୍ରତିନିଧି ମେଜର୍ ଜେନେରାଲ୍ ଇଗୋର୍ କୋନାସେଙ୍କୋଭ୍ କହିଛନ୍ତି, ଆମ ସୂଚନା ଅନୁସାରେ, ୟୁକ୍ରେନ୍ ଅଞ୍ଚଳ ଛାଡ଼ି ବେଲ୍ଗୋରୋଡ୍ ଯିବାକୁ ଚାହୁଁଥିବା ଦଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନୀୟ କର୍ତ୍ତୃପକ୍ଷମାନେ ବଳପୂର୍ବକ ଅଟକ ରଖିଛନ୍ତି। ବାସ୍ତବ କଥା ହେଉଛି, ସେମାନଙ୍କୁ ପଣବନ୍ଦୀ ରଖାଯାଇଛି । ଭାରତୀୟ ନାଗରିକମାନଙ୍କର ନିରାପଦ ସ୍ଥାନାନ୍ତରଣ ଲାଗି ରୁଷୀୟ ସଶସ୍ତ୍ର ସେନା ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ପ୍ରସ୍ତୁତ । ଭାରତ ଦେଇଥିବା ପ୍ରସ୍ତାବ ଅନୁସାରେ, ସେମାନଙ୍କୁ ରୁଷ୍ରୁ ସାମରିକ ବିମାନ କିମ୍ବା ଭାରତୀୟ ବିମାନ ଯୋଗେ ସ୍ବଦେଶ ପଠାଇ ଦିଆଯିବ ।