କାବୁଲରେ ଦୂତବାସ ଖୋଲିବା ପାଇଁ ଭାରତ ସରକାର ତତ୍ପର
ନୂଆଦିଲ୍ଲୀ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଦୂତବାସ ପୁଣି ଥରେ ଖୋଲିବା ପାଇଁ ଭାରତ ସରକାର ତତ୍ପର ହୋଇପଡିଛନ୍ତି । ଏବେ ତାଲିବାନୀ ସରକାରକୁ ଭାରତ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇନାହିଁ । ବିଦେଶ ମନ୍ତ୍ରାଳୟର ଯୁଗ୍ମ ସଚିବଙ୍କ ନେତୃତ୍ୱରେ କାବୁଲ୍ ଗସ୍ତରେ ଯାଇ ଭାରତୀୟ ଟିମ୍ ତାଲିବାନୀ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଦୂତବାସ ପୁଣି ଥରେ ଖୋଲିବା ସଂମ୍ପର୍କରେ ଆଲୋଚନା କରିଛନ୍ତି । ଆଫଗାନ ସରକାର ଭାରତୀୟ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ ମୁତାକ୍କୀ ଭାରତର ଯୁଗ୍ମ ସଚିବ ଜେପି ସିଂଙ୍କୁ ଭାରତୀୟ ଦୂତବାସ କାମ ଆରମ୍ଭ କରିବା ଲାଗି ବହୁବାର ଅନୁରୋଧ ଜରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନକୁ ଭାରତ ପକ୍ଷରୁ ଯୋଗାଇ ଦିଆଯାଇଥିବା ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ସୂଚାରୁ ବଣ୍ଟଣ ଆକଳନ କରିବା ପାଇଁ ଯୁଗ୍ମ ସଚିବଙ୍କ ନେତୃତ୍ୱାଧୀନ ଟିମ୍ ଯାଇଥିଲେ ।
ଏହି ଅବସରରେ ଦୂତବାସ ପୁନଃ ଖୋଲାଯିବା ଉପରେ ଚର୍ଚ୍ଚା ହୋଇଥିଲା । ଏହିପରିକି ଭାରତୀୟ ଦୂତବାସ ଖୋଲାଯିବା ନେଇ ତାଲିବାନ ବିଶେଷ ଆଗ୍ରହୀ । ଏହା ସମ୍ଭବ ହେଲେ ତାଲିବାନ ସାରା ବିଶ୍ୱରେ ଦେଖାଇଦେବ ଯେ ଆଫଗାନିସ୍ତାନରେ ସ୍ଥିତି ସ୍ୱାଭାବିକ ହୋଇଗଲାଣି । ଭାରତୀୟ ଦୂତବାସ ଖୋଲିବା ପରେ ଆଉ କିଛି ଦେଶ ନିଜ ନିଜ ଦୂତବାସ ଖୋଲିବାକୁ ଆଗେଇ ଆସିବେ ।