ଏସିଆ କପ୍ ୨୦୨୨ : ରବିବାର ପୁଣିଥରେ ମୁହାଁମୁହିଁ ହେବେ ଭାରତ -ପାକିସ୍ତାନ!
ଦୁବାଇ : ପ୍ରସ୍ତୁତ ହୋଇ ଯାଆନ୍ତୁ କ୍ରିକେଟ୍ ପ୍ରେମୀ । ଏସିଆ କପ୍ ୨୦୨୨ରେ ଆସନ୍ତା ରବିବାର ଅର୍ଥାତ ସେପ୍ଟେମ୍ବର ୪ରେ ସୁପର ୪ ମୁକାବିଲାରେ ପୁଣି ଥରେ ମୁହାଁମୁହିଁ ହେବେ ଭାରତ ଓ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ। ଗତ ମୁକାବିଲାରେ ଭାରତ ୫ ଓ୍ଵିକେଟରେ ପାକିସ୍ତାନକୁ ହରାଇଥିଲା।
ଏସିଆ କ୍ରିକେଟ୍ ପରିଷଦ ଅର୍ଥାତ ଏସିସି ଏମିତି କିଛି କ୍ରୀଡାସୂଚୀ ପ୍ରସ୍ତୁତ କରିଛି, ଯେଉଁଥିରୁ ଲାଗୁଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ ମୁକାବିଲା ହେବାକୁ ଯାଉଛି। ଆଉ ଏହି ମ୍ୟାଚ୍ ରବିବାର ଖେଳାଯିବ। ଏ ପର୍ଯ୍ୟନ୍ତ ଯଦି ସବୁ କିଛି ଠିକ୍ ରହେ ତେବେ ଫାଇନାଲରେ ବି ଭାରତ ଏବଂ ପାକିସ୍ତାନକୁ ଦେଖିବାକୁ ମିଳିପାରେ। ତେଣୁ ପୁଣି ଥରେ ଏସିଆ କପ୍ରେ ଭାରତ ବନାମ ପାକିସ୍ତାନ ମହାମୁକାବିଲା ଦେଖିବାକୁ ପ୍ରସ୍ତୁତ ହୋଇ ଯାଆନ୍ତୁ।
ସୂଚନା ଯେ, ଏସିଆ କପ ରେ ମୋଟ୍ ୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ଦଳଗୁଡିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ‘ଗ୍ରୁପ ଏ’ରେ ଭାରତ, ପାକିସ୍ତାନ ଏବଂ ହଂକଂ ରହିଥିବା ବେଳେ ‘ଗ୍ରୁପ ବି’ରେ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ବାଂଲାଦେଶ ଦଳ ରହିଛି। ପ୍ରତି ଗ୍ରୁପରୁ ଦୁଇଟି ଲେଖାଏଁ ଦଳ ସୁପର ୪ରେ ପ୍ରବେଶ କରିବେ। ଏହା ପରେ ସୁପର ୪ ପର୍ଯ୍ୟାୟରେ ଗ୍ରୁପ ଏର ଶୀର୍ଷରେ ଥିବା ଦଳ ଏବଂ ଦ୍ଵିତୀୟରେ ଥିବା ଦଳ ମଧ୍ୟରେ ମୁକାବିଲା ଖେଳାଯିବ। ଅର୍ଥାତ ଏ୧ ବନାମ ଏ୨ ମଧ୍ୟରେ ମ୍ୟାଚ୍ ଖେଳାଯିବ। ସେହି ପରି ବି୧ ଏବଂ ବି୨ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ଭାରତୀୟ ଦଳ ଆଜି ହଂକଂ ବିପକ୍ଷରେ ମ୍ୟାଚ୍ ଖେଳିବ। ଭାରତ ଏହି ମ୍ୟାଚରେ ବିଜୟୀ ହେଲେ ସହଜରେ ସୁପର ୪ରେ ପ୍ରବେଶ କରିବ। ଅନ୍ୟପଟେ ସେପ୍ଟେମ୍ବର ୨ରେ ପାକିସ୍ତାନ ହଂକଂ ବିପକ୍ଷରେ ଖେଳିବ। ବର୍ତ୍ତମାନର ଫର୍ମ ଏବଂ ଦଳର ଖେଳାଳିଙ୍କୁ ଦେଖିଲେ ଉକ୍ତ ମ୍ୟାଚରେ ପାକିସ୍ତାନ ବିଜୟ ହାସଲ କରିବ। ଏଥିସହ ଗ୍ରୁପ ଏରୁ ଦୁଇ ବିଜେତା ଦଳ ସେପ୍ଟେମ୍ବର ୪ରେ ପୁଣି ଥରେ ମୁହାଁମୁହଁ ହେବେ।ଯଦି ଦୁର୍ଭାଗ୍ୟବଶତଃ ଅଗଷ୍ଟ ୩୧ରେ ଭାରତ ହଂକଂଠୁ ହାରିଯାଏ, ତେବେ ଏମିତି ସ୍ଥିତିରେ ପାକିସ୍ତାନ ଦଳକୁ ଯେମିତି ହେଲେ ହଂକଂ ବିପକ୍ଷରେ ନିଜର ଶେଷ ମୁକାବିଲା ଜିତିବାକୁ ପଡିବ। ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଆଧାରେ ଦୁଇ ଦଳ ସୁପର ୪ରେ ପହଞ୍ଚିବେ। ହେଲେ ହଂକଂ ଭାରତ ଏବଂ ପାକିସ୍ତାନକୁ ହରାଇବାର ଆଶା କ୍ଷୀଣ ରହିଛି। ଏଥିରୁ ସ୍ପଷ୍ଟ ଜଣା ପଡୁଛି ଯେ, ପୁଣି ଥରେ ଭାରତ ଏବଂ ପାକିସ୍ତାନ ପରସ୍ପରର ମୁକାବିଲା କରିବେ। ତେଣୁ ଦର୍ଶକ ଆଗାମୀ ରବିବାର ପୁଣି ଥରେ ଦୁଇ ପାରମ୍ପରିକ ଦଳ ମଧ୍ୟରେ ମୁକାବିଲା ଦେଖି ପାରିବେ।