ଏସିଆ କପ୍-୨୦୨୨ : ବାଦ ପଡ଼ିଛନ୍ତି ଏହି ସବୁ କିମ୍ବଦନ୍ତୀ ଖେଳାଳି
ଦୁବାଇ : ଆଜିଠୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ତେବେ ୨୮ ତାରିଖରୁ ଭାରତ ତାର ଅଭିଯାନ ଆରମ୍ଭ କରିବ। ଚୀର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଅଧିକାଂଶ ବରିଷ୍ଠ ତଥା ଅଭିଜ୍ଞ ଖେଳାଳି ବାଦ ପଡ଼ିଛନ୍ତି। ତେବେ ବାଦ ପଡ଼ିଥିବା ଖେଳାଳିଙ୍କ ତାଲିକା ବେଶ ଲମ୍ବା। ସେମାନଙ୍କ ମଧ୍ୟରେ ଭାରତ ଓ ପାକିସ୍ତାନର କିଛି ଖେଳାଳି ସାମିଲ ରହିଛନ୍ତି।
ବାଦ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ଜସପ୍ରିତ ବୁମରାଙ୍କ ନାଁ ସାମିଲ ରହିଛି। ୨୦୧୮ରେ ଏସିଆ କପ ହାତେଇବାରେ ବୁମରାଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ୱ ବହନ କରିଥିଲା। ମାତ୍ର ଏହି ଏସିଆ କପରେ ଆହତ କାରଣରୁ ସେ ବାଦ ପଡ଼ିଛନ୍ତି। ବୁମରା ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିଲେ। ସେହିପରି ମହମ୍ମଦ ସାମି ମଧ୍ୟ ସିରିଜରୁ ବାଦ ପଡ଼ିଛନ୍ତି। ଆଗାମୀ ଟି୨୦ ସିରିଜ ପାଇଁ ତାଙ୍କୁ ବ୍ରେକ ଦିଆଯାଇଛି। ଆଇପିଏଲ ୨୦୨୨ ସଂସ୍କରଣରେ ସାମି ବେଶ ଦମଦାର ପ୍ରଦର୍ଶନ କରିଥିଲେ। ଗତବର୍ଷ ଟି୨୦ ବିଶ୍ୱକପରେ ଆହତ ହେବା ପରେ ଭାରତ ପାଇଁ କୌଣସି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିନାହାନ୍ତି।
ସେହିପରି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ପାକିସ୍ତାନର ଶାହିନ ଶାହ ଆଫ୍ରିଦି ମଧ୍ୟ ସିରିଜରୁ ବାଦ ପଡ଼ିଛନ୍ତି। ନିଜ ଆଣ୍ଠୁରେ ଆହତ କାରଣରୁ ସିରିଜରୁ ବାଦ ପଡ଼ିଛନ୍ତି ଶାହିନ। ଏହା ବ୍ୟତୀତ ତାଙ୍କୁ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରୁ ମଧ୍ୟ ବାଦ ଦିଆଯାଇଥିଲା। ଏସିଆ କପ ପାଇଁ ସେ ଫିଟ ହେବା ଲକ୍ଷ୍ୟରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ମାତ୍ର ସେ ଫିଟ ହୋଇ ପାରିନଥିଲେ। ଯେଉଁଥିପାଇଁ ତାଙ୍କୁ ଚୟନକର୍ତ୍ତା ବାଦ ଦେଇଛନ୍ତି। ସଞ୍ଜୁ ସାମସନ କ୍ରମାଗତ ଭାବେ ଟୁର୍ଣ୍ଣାମେଣ୍ଟ ଖେଳି ଆସୁଛନ୍ତି। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ମଧ୍ୟ ବେଶ ଦମଦାର ପ୍ରଦର୍ଶନ କରିଆସିଥିଲେ। ବେଶ ଦମଦାର ଫର୍ମରେ ରହିଥିବା ସଞ୍ଜୁ ସାମସନଙ୍କୁ କିନ୍ତୁ ଏହି ସିରିଜରୁ ବାଦ ଦେଇଛନ୍ତି ଚୟନକର୍ତ୍ତା। ସଞ୍ଜୁଙ୍କ ପରିବର୍ତ୍ତେ ଋଷଭ ପନ୍ତ ଓ ଦିନେଶ କାର୍ତ୍ତିକଙ୍କ ଦଳରେ ସାମିଲ କରିଥିଲେ।
ସେପଟେ ଭାରତ ଓ ପାକିସ୍ତାନର କ୍ରିକେଟ୍ ଟିମ୍ ୯ ମାସ ପରେ ଦୁବାଇରେ ପୁଣି ଥରେ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ଅଛନ୍ତି । ଶେଷ ଥର ପାଇଁ ଉଭୟ ଦଳ ଟି-୨୦ ବିଶ୍ୱକପ ୨୦୨୧ ରେ ପରସ୍ପରକୁ ଭେଟିଥିଲେ । ସେହି ମ୍ୟାଚରେ ବିରାଟ କୋହଲିଙ୍କ ନେତୃତ୍ୱରେ ଦଳକୁ ୧୦ ୱିକେଟ୍ ବ୍ୟବଧାନରେ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏଭଳି ପରିସ୍ଥିତିରେ ଏଥର ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ପୂର୍ବ ପରାଜୟର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ବାବର ଆଜାମଙ୍କ ସେନାଙ୍କୁ ପଡିଆରେ ଟକ୍କର ଦେବ ।
ଏସିଆ କପ୍ରେ ହଂକଂ ଦଳ ସହିତ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି । ଉଭୟ ଦଳ ଅଗଷ୍ଟ ୨୮ ରେ ନିଜର ଅଭିଯାନ ଆରମ୍ଭ କରିବେ । ଭାରତୀୟ ସମୟ ଅନୁଯାୟୀ, ଭାରତ ପାକିସ୍ତାନ ମ୍ୟାଚ୍ ଅଗଷ୍ଟ ୨୮ ରେ ଦୁବାଇରେ ସନ୍ଧ୍ୟା ୭.୩୦ ରୁ ଖେଳାଯିବ । ଭାରତ ଓ ପାକିସ୍ତାନ ସୁପର-୪ ରେ ପହଞ୍ଚିବା ପ୍ରାୟ ନିଶ୍ଚିତ । ଯେଉଁଠାରେ ଉଭୟ ଦଳ ମୁହାଁମୁହିଁ ହେବେ । ସମସ୍ତ ଚାରିଟି ଦଳ ସୁପର-୪ ରାଉଣ୍ଡରେ ପରସ୍ପରକୁ ଭେଟିବେ ଓ ସେପ୍ଟେମ୍ବର ୧୧ ରେ ଫାଇନାଲରେ ଶ୍ରେଷ୍ଠ ଦୁଇ ଦଳ ପରସ୍ପରକୁ ଭେଟିବେ । ଏହି ଦୁଇ ଦଳ ଯେଉଁ ପ୍ରକାରର ଫର୍ମରେ ଅଛନ୍ତି, ତାକୁ ଦେଖି ଉଭୟଙ୍କୁ ଟାଇଟଲ୍ ପ୍ରତିଯୋଗୀ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଦଳ ୨ ସପ୍ତାହ ମଧ୍ୟରେ ତୃତୀୟ ଥର ପାଇଁ ସଂଘର୍ଷ କରିପାରନ୍ତି ।
ଷ୍ଟାର୍ ସ୍ପୋର୍ଟସ୍ ନେଟୱାର୍କ ୨୦୨୨ ଏସିଆ କପ୍ ପାଇଁ ପ୍ରସାରଣ ଅଧିକାର ପ୍ରାପ୍ତ କରିଛି । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଷ୍ଟାର୍ ସ୍ପୋର୍ଟସର ବିଭିନ୍ନ ଚ୍ୟାନେଲରେ ସିଧାସଳଖ ପ୍ରସାରଣ ହେବ । ଟୁର୍ଣ୍ଣାମେଣ୍ଟର ଲାଇଭ୍ ଷ୍ଟ୍ରିମିଂ ହଟଷ୍ଟାର୍ ଆପ୍ ଓ ୱେବସାଇଟ୍ ରେ ଉପଲବ୍ଧ ହେବ ।