ଆସନ୍ତାକାଲି ତୃତୀୟ ଦିନିକିଆ, ଭାରତର ଚୂଡ଼ାନ୍ତ ଏକାଦଶରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ : ଭାରତୀୟ ଦଳ ବର୍ତ୍ତମାନ ଦମଦାର୍ ଫର୍ମରେ ନଜରକୁ ଆସୁଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଚଳିତ ବର୍ଷ ଟିମ୍ ଇଣ୍ଡିଆ ଲଗାତର ୨ଟି ସିରିଜ ଜିତିଛି । ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ୨ଟି ମ୍ୟାଚରେ ବିଜୟ ହାସଲ କରିଛି । ଏହା ସହ ଟିମ୍ ଇଣ୍ଡିଆ ସିରିଜରେ ୨-୦ ଆଗୁଆ ରହିଛି । ତୃତୀୟ ଦିନିକିଆ ଆସନ୍ତାକାଲି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୨୩ରେ ଖେଳାଯିବ । ଏହି ମ୍ୟାଚ୍ ଜିତିବା ସହିତ ଟିମ୍ ଇଣ୍ଡିଆ ପାଖରେ ସିରିଜକୁ କ୍ଲିନ୍ ସୁଇପ୍ କରିବାର ସୁଯୋଗ ରହିଛି । ଏଥିପାଇଁ ଅଧିନାୟକ ରୋହିତ ଶର୍ମା ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିପାରନ୍ତି ।
ଗତ ପାଞ୍ଚଟି ମ୍ୟାଚରେ ରୋହିତ ଶର୍ମାଙ୍କ ସହ ଶୁଭମାନ ଗିଲ ଉତ୍କୃଷ୍ଟ ଓପେନିଂ ପାର୍ଟନରଶିପ୍ କରିଛନ୍ତି । ରୋହିତ ଶର୍ମା ଓ ଶୁଭମାନ ଗିଲ ଉତ୍କୃଷ୍ଟ ଫର୍ମରେ ଚାଲୁଛନ୍ତି । ଏଭଳି ପରିସ୍ଥିତିରେ ଉଭୟ ଖେଳାଳିଙ୍କ ଓପନିଂ କରିବା ନିଶ୍ଚିତ ମନେହୁଏ । ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ୫୧ ରନର ଇନିଂସ ଖେଳିଥିଲେ । ଏଥିସହିତ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ତିନି ନମ୍ବରରେ ଓହ୍ଲାଇବା ନିଶ୍ଚିତ ମନେହୁଏ । କିଙ୍ଗ୍ କୋହଲି ଜଣେ ବଡ ମ୍ୟାଚ୍ ଖେଳାଳି ଓ ତାଙ୍କ ଦିନ ଥିଲେ ଯେକୌଣସି ବୋଲିଂ ଆକ୍ରମଣକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ ।
ଚତୁର୍ଥ ସ୍ଥାନରେ ଇଶାନ କିଶନ ଓହ୍ଲାଇବା ନିଶ୍ଚିତ । ସେ ୱିକେଟ୍ କିପର ଦାୟିତ୍ୱ ତୁଲାଉଥିବାର ମଧ୍ୟ ଦେଖିବାକୁ ମିଳିବ । ଏଥିସହିତ ସୂର୍ଯ୍ୟକୁମାର ଯାଦବ ପାଞ୍ଚ ନମ୍ବରରେ ସୁଯୋଗ ପାଇପାରନ୍ତି । ଦିନିକିଆ କ୍ରିକେଟରେ ତାଙ୍କ ନାମ ଅନୁଯାୟୀ ସୂର୍ଯ୍ୟ ଏପର୍ଯ୍ୟନ୍ତ ପ୍ରଦର୍ଶନ କରିପାରି ନାହାଁନ୍ତି । ଏଭଳି ପରିସ୍ଥିତିରେ ସେ ତୃତୀୟ ଦିନିକିଆରେ ଏକ ବଡ଼ ଇନିଂସ ଖେଳିବାକୁ ଚାହିଁବେ । ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଷଷ୍ଠ ନମ୍ବରରେ ଓହ୍ଲାଇବା ନିଶ୍ଚିତ ମନେହୁଏ । ବଲ୍ ଓ ବ୍ୟାଟ୍ ସହିତ ହାର୍ଦ୍ଦିକ ଉତ୍କୃଷ୍ଟ ଫର୍ମରେ ଦେଖାଯାଉଛନ୍ତି ।
ଦ୍ୱିତୀୟ ଦିନିକିଆରେ ଭାରତୀୟ ଦ୍ରୁତ ବୋଲରମାନେ ଭଲ ଖେଳ ପ୍ରଦର୍ଶନ କରିଥିଲେ । ମହମ୍ମଦ ଶାମି ଓ ମହମ୍ମଦ ସିରାଜ ଇନିଂସ ଆରମ୍ଭରେ ଜୋରଦାର ବୋଲିଂ କରିଥିଲେ । ଏଥି ସହିତ ଅଧିନାୟକ ରୋହିତ ଶର୍ମା ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ସ୍ଥାନରେ ଉମ୍ରାନ ମଲିକଙ୍କୁ ସୁଯୋଗ ଦେଇପାରନ୍ତି । ଉମ୍ରାନ୍ ମଲିକ ଉତ୍କୃଷ୍ଟ ଫର୍ମରେ ଚାଲୁଛି ଓ ଗତି ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି । କୁଲଦୀପ ଯାଦବ ଜଣେ ସ୍ପିନର ଭାବରେ ସୁଯୋଗ ପାଇପାରନ୍ତି । ଏଥି ସହିତ ୱାଶିଂଟନ୍ ସୁନ୍ଦର ଅଲରାଉଣ୍ଡର ଭାବେ ନିଜର ସ୍ଥାନ ସୁରକ୍ଷିତ କରିପାରନ୍ତି ।