ଏସିଆ କପ ସୁପର-୪ : ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା
ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଏସିଆ କପ ୨୦୨୨ ସୁପର-୪ର ତୃତୀୟ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ଏହି ମ୍ୟାଚରେ ଭାରତକୁ ୬ ୱିକେଟରେ ହରାଇଲା ଶ୍ରୀଲଙ୍କା । ପ୍ରଥମେ ବ୍ୟାଟିଂ ଭାରତ ୧୭୪ ରନର ଟାର୍ଗେଟ୍ ଦେଇଥିବା ବେଳେ ଜବାବରେ ଶ୍ରୀଲଙ୍କା ୧୯.୫ ବଲ୍ ଖେଳି ଲକ୍ଷ୍ୟ ହାସଲ କରି ନେଇଛି । ଶେଷ ପର୍ଯ୍ୟନ୍ତ ହର୍ଶଦୀପ ସିଂହ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ରୋକିବାକୁ ଚେଷ୍ଟା କରିଥିଲେ । ହେଲେ ରନ୍ ଆଉଟ୍ କରିବା ଚକ୍କରେ ଦୁଇଟି ବାଇ ରନରେ ଜିତିଲା ଶ୍ରୀଲଙ୍କା।
୧୯ ଓଭରରେ ଭୁବନେଶ୍ୱର କୁମାରଙ୍କ ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡ଼ିଥିଲା। ୧୨ ବଲରେ ଜିତିବାକୁ ୨୧ ରନ୍ ଥିବା ବେଳେ ଭୁବନେଶ୍ୱର କୁମାରଙ୍କ ତାଙ୍କ ଓଭରରେ ୧୪ ରନ୍ ଦେଇଥିଲେ। ଶେଷ ବେଳକୁ ହର୍ଶଦୀପ ଅନେକ ଚେଷ୍ଟା କରିଥିଲେ ବି ୬ ୱିକେଟରେ ମ୍ୟାଚ୍ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଫାଇନାଲରେ ଶ୍ରୀଲଙ୍କା ସ୍ଥାନ ଦୃଢ଼ ହୋଇଛି । ଶ୍ରୀଲଙ୍କା ପକ୍ଷରୁ କୁସାଲ ମେଣ୍ଡିସ ସର୍ବାଧିକ ୫୭ ରନ୍ କରିଥିବା ବେଳେ ପାଥୁମ ନିଶଙ୍କ ୫୫ ରନ୍, ଦଶୁନ ଶନକା ୩୩ ରନ୍ ଓ ଭାନୁକା ରାଜପାକ୍ଷ ୨୫ ରନ୍ କରିଥିଲେ। ଫଳରେ ଦଳ ୧୯.୫ ବଲରେ ୬ ୱିକେଟ୍ ମ୍ୟାଚ୍ ଜିତି ନେଇଛି।
ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୩ ରନ୍ କରିଥିଲା। ଦଳର ଦୁଇ ଓପନର ରାହୁଲ ଓ ରୋହିତ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗିଦାରୀ କରି ପାରି ନଥିଲେ। ଇନିଂସର ଦ୍ୱିତୀୟ ଓଭରରେ ମାତ୍ର ୬ ରନ କରି କେଏଲ ରାହୁଲ ଆଉଟ ହୋଇଥିଲେ। ତାଙ୍କ ୱିକେଟ ରହସ୍ୟମୟ ସ୍ପିନର ମହୀଶ ତିକଶାନା ନେଇଥିଲେ। ବିରାଟ କୋହଲି ପାକିସ୍ତାନ ବିପକ୍ଷରେ ଭଲ ଖେଳିଥିଲେ ମଧ୍ୟ ଆଜି ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି। ତାଙ୍କୁ ଯୁବ ବୋଲର ଦିଲସାନ ମଦୁଶଣକା କ୍ଲିନବୋଲ୍ଡ କରିଦେଇଛନ୍ତି। ୧୩ ରନରେ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତ ପାଇଁ ରୋହିତ ଶର୍ମା ଓ ସୂର୍ଯ୍ୟ କୁମାର ଯାଦବ ମଙ୍ଗ ସମ୍ଭାଳିଥିଲେ। ଉଭୟ ଦମଦାର ବ୍ୟାଟିଂ କରି ଦ୍ରୁତଗତିରେ ରନ ସଂଗ୍ରହ କରିଥିଲେ। ବିଶେଷ କରି ରୋହିତଙ୍କ ବ୍ୟାଟରୁ ବଡ଼ ଶଟ ଦେଖିବାକୁ ମିଳିଥିଲା। ଏଥିସହ ସେ ଦୀର୍ଘଦିନ ପରେ ଟି-୨୦ରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ୫୦ ରନ ପୂରଣ କରିବା ପରେ ସେ ଆହୁରି ଆକ୍ରମଣାତ୍ମକ ରୂପ ଧାରଣ କରିଥିଲେ। ସେ ବଡ଼ବଡ଼ ଶଟ ଖେଳିବାରେ ଲାଗିଥିଲେ। ତେବେ ଦଳୀୟ ସ୍କୋର ୧୧୦ ଥିବା ବେଳେ ରୋହିତ ବ୍ୟକ୍ତିଗତ ୭୨ ରନ କରି ଚାମିକା କରୁଣାରତ୍ନେଙ୍କ ବଲରେ କ୍ୟାଚ ଆଉଟ ହୋଇଥିଲେ। ୪୧ ବଲର ସମ୍ମୁଖୀନ ହୋଇଥିବା ରୋହିତ ୫ଟି ଚୌକା ଓ ୪ଟି ଛକା ମାରିଛନ୍ତି। ସେ ଆଉଟ ହେବାର ୯ ରନ ପରେ ସୂର୍ଯ୍ୟ କୁମାର ଯାଦବ ମଧ୍ୟ ୩୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ଶ୍ରୀଲଙ୍କା ଅଧିନାୟକ ଶଣକା ଆଉଟ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୧୭) ମଧ୍ୟ ବଡ଼ ଶଟ ଖେଳି ଶଣକାଙ୍କ ଦ୍ୱିତୀୟ ଶିକାର ବନିଥିଲେ। ଶେଷ ଭାଗରେ ଋଷଭ ପନ୍ତ ଓ ଦୀପକ ହୁଡ୍ଡା ଦ୍ରୁତଗତିରେ ରନ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ୧୮ ଓଭର ଶେଷ ଯାଏ ବଡ଼ ଶଟ ଖେଳିବାକୁ ସକ୍ଷମ ହୋଇ ନଥିଲେ। ୧୮ ଓଭର ଶେଷ ସୁଦ୍ଧା ଭାରତର ସ୍କୋର ୧୫୭/୫ ଥିଲା। ୧୯ତମ ଓଭରରେ ପ୍ରଥମ ବଲରେ ମଦୁଶଣକା ୩ ରନ କରିଥିବା ହୁଡ୍ଡାଙ୍କୁ କ୍ଲିନବୋଲ୍ଡ କରି ଭାରତକୁ ୬ଷ୍ଠ ଝଟକା ଦେଇଥିଲେ। ସେହି ଓଭରର ୩ୟ ବଲରେ ଋଷଭ ପନ୍ତ(୧୭) ମଧ୍ୟ ଆଉଟ ହୋଇଯାଇଥିଲେ। ୧୯ତମ ଓଭରରେ ମଦୁଶଣକା ମାତ୍ର ୪ ରନ ଦେଇ ୨ଟି ୱିକେଟ ଦଖଲ କରିଥିଲେ। ଶେଷ ଓଭରରେ ଭୁବନେଶ୍ୱର କୁମାର(୦)ଙ୍କୁ କରୁଣାରତ୍ନେ କ୍ଲିନବୋଲ୍ଡ କରିଥିଲେ। କିନ୍ତୁ ଅଶ୍ୱିନ ୬କା ମାରିବାରୁ ଦଳୀୟ ସ୍କୋର ୧୭୦ ପାର କରିଥିଲା। ସେହିପରି ଶେଷ ଭଲରେ ସେ ୨ ରନ ନେବାରୁ ଦଳୀୟ ସ୍କୋର ୧୭୩ରେ ପହଞ୍ଚିଥିଲା। ଅଶ୍ୱିନ ଶେଷ ଯାଏ ୭ ବଲରେ ୧୫ ରନ କରି ଅପରାଜିତ ରହିଥିଲେ।