ବିଶ୍ଵ ପାକିସ୍ତାନକୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ଦେଖୁଛି : ଜୟଶଙ୍କର
ନୂଆଦିଲ୍ଲୀ : ପାକିସ୍ତାନର ମନ୍ତ୍ରୀ ହୀରା ରବାନି ଖାରଙ୍କ ଅଭିଯୋଗର ଜବାବ ଦେଇଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ଦେଖୁଛି । ପାକିସ୍ତାନ ଏହାର ଭୁଲ୍ ସୁଧାରି ଏକ ଭଲ ପଡ଼ୋଶୀ ହେବାକୁ ଚେଷ୍ଟା କରିବା ଉଚିତ୍ ବୋଲି ଜୟଶଙ୍କର କହିଛନ୍ତି ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ମଧ୍ୟ ପାକିସ୍ତାନ ଉପରେ ଆମେରିକାର ନେତା ହିଲାରୀ କ୍ଲିଣ୍ଟନ ଦେଇଥିବା ଏକ ବିବୃତ୍ତିକୁ ଦୋହରାଇ କହିଛନ୍ତି ଯେଉଁମାନେ ନିଜ ଘର ପଛପଟେ ସାପ ରଖନ୍ତି, ସେମାନେ ଦିନେ ସେମାନଙ୍କୁ କାମୁଡ଼ିବେ। ମିଳିତ ଜାତିସଂଘ ସୁରକ୍ଷା ପରିଷଦ କାର୍ଯ୍ୟକ୍ରମ ‘ଗ୍ଲୋବାଲ କାଉଣ୍ଟର ଟେରରିଜିମ୍ ଆପ୍ରୋଚ: ଚ୍ୟାଲେଞ୍ଜ ଆଣ୍ଡ ୱେ ଫରୱାର୍ଡ’ ପରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ନିକଟରେ ପାକିସ୍ତାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ହିନା ରାବାନି ଖାରଙ୍କ ଅଭିଯୋଗ ଉପରେ ଜୟଶଙ୍କର ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଉଥିଲେ। ଖାର୍ ଅଭିଯୋଗ କରିଥିଲେ ଯେ ଆତଙ୍କବାଦକୁ ଭାରତ ଅପେକ୍ଷା ଅନ୍ୟ କୌଣସି ଦେଶ ଭଲ ଭାବେ ବ୍ୟବହାର କରିନାହାଁନ୍ତି।
ଜୟଶଙ୍କର କହିଛନ୍ତି, “ଖାର୍ ଯାହା କହିଛନ୍ତି ସେ ସମ୍ବନ୍ଧୀୟ ଖବର ମୁଁ ଦେଖିଛି। ମୋର ଯେତେ ଦୂର ମନେ ଅଛି, ଏକ ଦଶନ୍ଧିରୁ ଅଧିକ ସମୟ ପୂର୍ବରୁ ଯେତେବେଳେ ହିଲାରୀ କ୍ଲିଣ୍ଟନ ପାକିସ୍ତାନ ଗସ୍ତ କରିଥିଲେ। ହିନା ରବାନି ସେତେବେଳେ ମନ୍ତ୍ରୀ ଥିଲେ। ତାଙ୍କ ସହ ଠିଆ ହୋଇ ହିଲାରୀ କ୍ଲିଣ୍ଟନ କହିଥିଲେ ଯେ ଯଦି ଆପଣଙ୍କ ଅଗଣାରେ ସାପ ଅଛି, ତେବେ ଆପଣ କେବଳ ପଡ଼ୋଶୀକୁ କାମୁଡ଼ିବା ଆଶା କରିପାରିବେ ନାହିଁ। ପରିଶେଷରେ ତାହା ସେହି ଲୋକମାନଙ୍କୁ ମଧ୍ୟ କାମୁଡ଼ିବ ଯେଉଁମାନେ ତାକୁ ରଖନ୍ତି, କିନ୍ତୁ ଆପଣ ଜାଣନ୍ତି ଯେ ପାକିସ୍ତାନ ଭଲ ପରାମର୍ଶ ନେବାକୁ ତତ୍ପର ନୁହେଁ । ସେଠାରେ କ’ଣ ଘଟୁଛି ଆପଣ ଜାଣନ୍ତି । ଅକ୍ଟୋବର ୨୦୧୧ରେ ଇସଲାମାବାଦ ଗସ୍ତ ସମୟରେ କ୍ଲିଣ୍ଟନ ପାକିସ୍ତାନର ତତ୍କାଳୀନ ବୈଦେଶିକ ମନ୍ତ୍ରୀ ଖାରଙ୍କ ସହ ଗଣମାଧ୍ୟମକୁ ସମ୍ବୋଧିନ କରିବାବେଳେ କହିଥିଲେ ଯେ ଏହା ସେହି ପୁରୁଣା କାହାଣୀ ପରି … ଆପଣଙ୍କ ଅଗଣାରେ ସାପ ରଖି ଆପଣ ଆଶା କରିପାରିବେ ନାହିଁ ତାହା କେବଳ ଆପଣଙ୍କର ପଡ଼ୋଶୀକୁ ହିଁ କାମୁଡିବ । ପରିଶେଷରେ ସେହି ସାପମାନେ ସେମାନଙ୍କୁ ମଧ୍ୟ କାମୁଡ଼ିବ, ଯେଉଁମାନେ ତାକୁ ରଖନ୍ତି ।
ଜୟଶଙ୍କର କହିଛନ୍ତି, “… ଆଜି ବିଶ୍ୱ ସେମାନଙ୍କୁ (ପାକିସ୍ତାନ) ଆତଙ୍କବାଦର ଉତ୍ପତ୍ତି ସ୍ଥଳ ଭାବେ ଦେଖୁଛି। ମୁଁ ଜାଣେ ଆମେ ବର୍ତ୍ତମାନ ଅଢେଇ ବର୍ଷ ଧରି କୋଭିଡ୍-୧୯ (ମହାମାରୀ) ସହିତ ଲଢ଼େଇ କରୁଛୁ । ସେଥିପାଇଁ ସ୍ମୃତି ଟିକେ ଧୂମିଳ ହୋଇଯାଇଛି । କିନ୍ତୁ ମୁଁ ଆପଣଙ୍କୁ ଏହି ପ୍ରତିଶ୍ରୁତି ଦେଇପାରିବି ଯେ ଆତଙ୍କବାଦ କେଉଁଠାରୁ ଆରମ୍ଭ ହୋଇଛି ତାହା ବିଶ୍ୱ ଭୁଲି ନାହିଁ ।