ମଙ୍କିପକ୍ସକୁ ନେଇ ଡବ୍ଲୁଏଚଓର ଚେତାବନୀ ! ମୁହଁରୁ ଆରମ୍ଭ ହୋଇ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ ସଂକ୍ରମଣ
ଜେନେଭା: ଦୁନିଆର କେତେକ ଦେଶରେ ମଙ୍କିପକ୍ସ ଭାଇରସ୍ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି । ଏହି ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏକ ଜରୁରୀ ବୈଠକ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା କରିଛି । ଋଷ ଗଣମାଧ୍ୟମ ଏହି ସୂଚନା ଦେଇଛି । ଏହି ଭୂତାଣୁ ସଂକ୍ରମଣର କାରଣ ଏବଂ ମାଧ୍ୟମ ଉପରେ ଆଲୋଚନା କରିବା ବୈଠକର ମୁଖ୍ୟ ଏଜେଣ୍ଡା ଥିଲା ।
ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁଯାୟୀ ସମଲିଙ୍ଗୀ ସମ୍ପର୍କ ମଧ୍ୟରେ ଏହି ଭୂତାଣୁ ବିସ୍ତାର ହେବାର ଆଶଙ୍କା ଅଧିକ । ଋଷର ସ୍ପୁଟନିକ୍ ନ୍ୟୁଜ୍ ଏଜେନ୍ସି ଏହା କହିଛନ୍ତି । ମେ’ ମାସ ଆରମ୍ଭରେ ବ୍ରିଟେନ, ସ୍ପେନ୍, ବେଲଜିୟମ, ଇଟାଲୀ, ଅଷ୍ଟ୍ରେଲିଆ ଏବଂ କାନାଡା ସମେତ ଅନେକ ଦେଶରେ ମଙ୍କିପକ୍ସ ଭୂତାଣୁ ଦେଖିବାକୁ ମିଳିଥିଲା । ବ୍ରିଟେନର ସ୍ୱାସ୍ଥ୍ୟ ଏଜେନ୍ସି ୭ ମଇରେ ଇଂଲଣ୍ଡରେ ମଙ୍କିପକ୍ସ ଭୂତାଣୁର ପ୍ରଥମ ମାମଲା ନିଶ୍ଚିତ କରିଥିଲା । ସଂକ୍ରମିତ ରୋଗୀ ନାଇଜେରିଆରୁ ଫେରିଥିଲେ । ଏଥିସହିତ, ୧୮ ମଇରେ, ଆମେରିକାରେ ଜଣେ ବ୍ୟକ୍ତି ଏହି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡିଥିଲା, ଯିଏ କାନାଡାରୁ ଯାତ୍ରା କରିବା ପରେ ଫେରିଥିଲେ ।
ବୈଜ୍ଞାନିକଙ୍କ ଅନୁଯାୟୀ, ମଙ୍କିପକ୍ସ ଚେଚକ ଭୂତାଣୁ ସହିତ ଜଡିତ । ଯଦିଓ ଏହା ଅତ୍ୟନ୍ତ ଗମ୍ଭୀର ନୁହେଁ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ସଂକ୍ରମଣ ହେବାର ସମ୍ଭାବନା କମ୍ ଅଟେ । ଏହାର ପ୍ରାରମ୍ଭିକ ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ଫୁଲା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା ଏବଂ ସାଧାରଣ ଘୋଳାବିନ୍ଧା ହୋଇଥାଏ । ଜ୍ୱର ଛାଡ଼ିବା ପରେ ଶରୀରରେ ଏକ ଦାଗ ସୃଷ୍ଟି ହୋଇପାରେ । ଏହି ଘା’ ପ୍ରାୟତଃ ମୁହଁରେ ଆରମ୍ଭ ହୁଏ, ତା’ପରେ ଶରୀରର ଅନ୍ୟ ଅଂଶକୁ ବ୍ୟାପିଥାଏ । ସାଧାରଣତଃ ହାତର ପାପୁଲିରେ ଏବଂ ପାଦରେ ଏହା ବାହାରେ । ଏହି ରୋଗର ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ମଙ୍କିପକ୍ସ ହୋଇପାରେ । ଏହି ଭୂତାଣୁ ଚର୍ମ, ଶ୍ୱାସକ୍ରିୟା କିମ୍ବା ଆଖି, ନାକ କିମ୍ବା ପାଟି ମାଧ୍ୟମରେ ଶରୀରକୁ ପ୍ରବେଶ କରିପାରେ । ଏହା ସଂକ୍ରମିତ ପ୍ରାଣୀ ଯେପରିକି ମାଙ୍କଡ, ମୂଷା ସଂସ୍ପର୍ଶରେ ଆସିପାରେ କିମ୍ବା ଦୂଷିତ ବସ୍ତୁର ସଂସ୍ପର୍ଶରେ ଆସି ବିସ୍ତାର ହୋଇପାରେ ।