ଆମେ ସମସ୍ତଙ୍କୁ କ୍ଷମା ଦେଲୁ : ତାଲିବାନ୍
- ଦେଶ ଛାଡ଼ି ନ ଯିବା ପାଇଁ ଜନତାଙ୍କୁ ପରାମର୍ଶ
କାବୁଲ : ଏକ ସ୍ୱତନ୍ତ୍ର ସାକ୍ଷାତ୍କାରରେ ବରିଷ୍ଠ ତାଲିବାନ୍ ନେତା ଖଲିଲ୍ ଉର୍ ରହମନ୍ ହକ୍କାନୀ କହିଛନ୍ତି ଯେ, ଆମେ ସମସ୍ତଙ୍କୁ କ୍ଷମା ଦେଲୁ । ବିତାଡ଼ିତ ଆଫଗାନ ରାଷ୍ଟ୍ରପତି ଅଶରଫ୍ ଗନୀ, ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍ ଏବଂ ପୂର୍ବତନ ଜାତୀୟ ନିରାପତ୍ତା ପରାମର୍ଶଦାତା ହମଦୁଲ୍ଲା ମୋହିବ୍ ଏବଂ ତାଲିବାନ ସଙ୍ଗଠନ ମଧ୍ୟରେ କୌଣସି ଶତ୍ରୁତା ନାହିଁ । ଆମେ ଅଶରଫ୍ ଗନୀ, ଅମରୁଲ୍ଲା ସାଲେହ୍ ଏବଂ ହମଦୁଲ୍ଲା ମୋହିବ୍ଙ୍କୁ କ୍ଷମା କରିଛୁ। ତାଲିବାନ ଏବଂ ସେ ତିନିଜଣଙ୍କ ମଧ୍ୟରେ ଥିବା ଶତ୍ରୁତା ଥିଲା ଧର୍ମଭିତ୍ତିକ। ଆମ ବିପକ୍ଷରେ ଲଢ଼ିଥିବା ଜେନେରାଲ୍ମାନଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ; ଆମ ତରଫରୁ ଆମେ ସମସ୍ତଙ୍କୁ କ୍ଷମା କରି ଦେଇଛୁ। ଇଚ୍ଛା କଲେ ସେମାନେ ଆଫଗାନିସ୍ତାନକୁ ପ୍ରତ୍ୟାବର୍ତ୍ତନ କରିପାରିବେ।
ସେହିପରି ଦେଶ ଛାଡ଼ି ଚାଲିଯାଉଥିବା ଜନତାଙ୍କୁ ସେ ଭଳି ନ କରିବା ଲାଗି ମଧ୍ୟ ହକ୍କାନୀ କହିଛନ୍ତି। ତାଲିବାନ୍ ସେମାନଙ୍କ ଉପରେ ପ୍ରତିଶୋଧ ନେବେ ବୋଲି ‘ଶତ୍ରୁ’ ମାନେ ହିଁ ପ୍ରଚାର ଚଳାଇଛନ୍ତି। ତାଜିକ୍, ବାଲୋଚ୍, ହାଜାର୍ ଏବଂ ପାଶ୍ତୁନ୍ ସମସ୍ତେ ଆମର ଭାଇ। ଯୁକ୍ତରାଷ୍ଟ୍ର ଆମେରିକା ବିରୋଧରେ ତାଲିବାନ ଯୁଦ୍ଧ କରି ନ ଥାନ୍ତା। ଯୁକ୍ତରାଷ୍ଟ୍ର ଆମେରିକା ସେମାନଙ୍କ ମାତୃଭୂମି ଉପରେ ଆକ୍ରମଣ କରି ତା’ର ସଂସ୍କୃତି, ଧର୍ମ ଓ ଦେଶ ବିପକ୍ଷରେ ସଂଗ୍ରାମ କରିବାରୁ ତାଲିବାନ୍ ଅସ୍ତ୍ର ଧରିଲେ। ସେଥିପାଇଁ ଆମକୁ ଏଭାଲି ପଦକ୍ଷେପ ନେବାକୁ ପଡିଥଲା ।