ଓଡ଼ିଶା ଅମଲା ସଂଘ ବାଲେଶ୍ୱର ଶାଖା ପକ୍ଷରୁ ଜରୁରୀ ବୈଠକ
ବାଲେଶ୍ୱର : ବାଲେଶ୍ୱର ସହର ରାଜାବଗିଚା ସ୍ଥିତ ଅମଲାଭବନ ଠାରେ ଓଡ଼ିଶା ଅମଲା ସଂଘ ବାଲେଶ୍ୱର ଶାଖା ପକ୍ଷରୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ଶ୍ୟାମସୁନ୍ଦର ମହାପାତ୍ର ସଭାପତିତ୍ୱ କରିଥିବା ବେଳେ ରାଜ୍ୟ ଅମଲା ସଂଘର ପୂର୍ବତନ ଅଧ୍ୟକ୍ଷ ବରେନ ପାତ୍ର, ଜିଲା ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି, ଅଶୋକ କୁମାର ଦାସ, ମନୋଜ କୁମାର ଦାସ, ବିଦ୍ୟାଧର ମଲ୍ଲିକ, ପ୍ରଦୀପ କୁମାର ଦାଶ ପ୍ରମୁଖ ଜିଲା ସଂଘର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଆସନ୍ତା ୩୦ ତାରିଖ ରାଜ୍ୟ ସଂଘ ଦେଇଥିବା ଭୁବନେଶ୍ୱର ଚାଲୋ ଡାକରାରେ ସମସ୍ତେ ସାମିଲ୍ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ଦୀର୍ଘଦିନ ଧରି ସରକାରଙ୍କ ନିକଟରେ ସଂଘ ପକ୍ଷରୁ ହୋଇଆସୁଥିବା ମୁଖ୍ୟ ଦାବୀ କନିଷ୍ଠ ସହାୟକଙ୍କ ମୂଳ ଦରମା ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ୯୩୦୦-୩୪୮୦୦ ଏବଂ ଗ୍ରେଡ୍ ପେ ୪୨୦୦ କରିବାକୁ ବାରମ୍ବାର ଦାବିକୁ ସରକାର କର୍ଣ୍ଣପାତ କରୁନଥିବାରୁ ଉପସ୍ଥିତ ଅମଲାମାନେ ଏଥିପ୍ରତି କ୍ଷୋଭ ପ୍ରକାଶ କରିବା ସହିତ ଭୁବନେଶ୍ୱର ରାଜରାସ୍ତାରେ ଏହାର ଦୃଢ଼ ପ୍ରତିବାଦ ଆଗାମୀ ଦିନରେ କରିବା ପାଇଁ ମଞ୍ଚକୁ ନିବେଦନ କରିଥିଲେ । ବୈଠକରେ ଜିଲାର ପ୍ରାୟ ସମସ୍ତ ବିଭାଗର ଶତାଧିକ ଅମଲା ବନ୍ଧୁ ଉପସ୍ଥିତ ଥିଲେ । ସଭାର ସଫଳତା ନେଇ ସଭାପତି ଧନ୍ୟବାଦ ଦେଇଥିଲେ ।