ବିଧାୟକ ଜିଗ୍ନେଶ ମେବାନୀଙ୍କ ସହ ୧୨ ଜଣଙ୍କୁ ୩ ମାସ ଜେଲ୍
ଅହମ୍ମଦାବାଦ : ସ୍ୱାଧୀନ ବିଧାୟକ ତଥା ଦଳିତ ନେତା ଜିଗ୍ନେଶ ମେବାନୀଙ୍କୁ ଏକ ବଡ଼ ଝଟକା ଲାଗିଛି । ଏକ ପାଂଚ ବର୍ଷ ତଳର ମାମଲାରେ ଗୁଜରାଟର ମହେସାନା କୋର୍ଟ ମେବାନୀଙ୍କୁ ତିନିମାସ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ତାଙ୍କ ଉପରେ ଏକ ହଜାର ଟଙ୍କା ଜରିମାନା ଲଗାଯାଇଛି । ଜିଗ୍ନେଶ ମେବାନୀଙ୍କ ସହ ଏନସିପି ନେତା ରେଶମା ପଟେଲ ଏବଂ ସୁବୋଧ ପାରମାରଙ୍କୁ ମଧ୍ୟ ତିନିମାସ ଦଣ୍ଡିତ କରାଯାଇଛି । ବିନା ଅନୁମତିରେ ରାଲି କରିବା ଅଭିଯୋଗରେ ଏହି ତିନି ଜଣଙ୍କ ସହ ସମୁଦାୟ ୧୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।
ଯେଉଁ ମାମଲାରେ ଜିଗ୍ନେଶ ମେବାନୀ, ରେଶମା ପଟେଲ ଏବଂ ସୁବୋଧ ପାରମାରଙ୍କୁ ଦଣ୍ଡିତ କରାଯାଇଛି, ତାହା ପ୍ରାୟ ପାଂଚ ବର୍ଷ ପୁରୁଣା । ୨୦୧୭ ମସିହାରେ ସେ ଏକ ‘ସ୍ୱାଧୀନତା’ ନାମରେ ଏକ ରାଲି କରିଥିଲେ । ବିନା ଅନୁମତିରେ ଏହି ରାଲି କରାଯାଇଥିଲା ବୋଲି ଅଭିଯୋଗ ହୋଇଥିଲା । ଏହି ମାମଲାରେ ବର୍ତମାନ ମହେସାନା କୋର୍ଟ ଏମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଉନାରେ ଦଲିତଙ୍କୁ ଆକ୍ରମଣ ମାମଲା ସାମ୍ନାକୁ ଆସିବା ପରେ ୧୨ ଜୁଲାଇ ୨୦୧୭ରେ, ‘ସ୍ୱାଧୀନତା ପଦଯାତ୍ରା’ ନାମରେ ମେହସାନା ନିକଟ ବନାସକଣ୍ଠାଧରେ ଏକ ଆନ୍ଦୋଳନର ଡାକରା ଦିଆଯାଇଥିଲା । ପ୍ରକାଶଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ଟୁଇଟ୍ ପାଇଁ ମେବାନୀଙ୍କୁ ଗୁଜରାଟରୁ ଆସାମ ପୋଲିସ ଗିରଫ କରିଥିଲା । ତା’ପରେ ଜିଗ୍ନେଶ ମେବାନୀଙ୍କୁ କୋର୍ଟରୁ ଜାମିନ ପାଇଥିଲେ । ତେବେ ଜଣେ ମହିଳା ପୋଲିସ ସହିତ ଅସଦାଚରଣ ଅଭିଯୋଗରେ ଜିଗ୍ନେଶଙ୍କୁ ଆସାମ ପୋଲିସ ପୁଣି ଗିରଫ କରିଥିଲା । ପରେ ଏହି ମାମଲାରେ ମଧ୍ୟ ସେ ଜାମିନ ପାଇଥିଲେ । ବର୍ତମାନ ଆସାମ ସରକାର ଏହି ଜାମିନ ବିରୋଧରେ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା ୨୭ ତାରିଖରେ ଏହି ମାମଲାର ଶୁଣାଣି ହେବ ।