ଟୋକିଓ ଅଲିମ୍ପିକ୍ସ : ବ୍ରୋଞ୍ଜ ଜିତିଲେ ପିଭି ସିନ୍ଧୁ
ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ଆଉ ଏକ ମେଡାଲ । ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ବର୍ଗରେ ଚାଇନାର ହେ ବିଙ୍ଗ୍ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଲେ ଭାରତର ପିଭି ସିନ୍ଧୁ । ଚାଇନାର ବିଙ୍ଗ୍ ଜିଆଓଙ୍କୁ ସିଧାସଳଖ ୨-୦ ରେ ହରାଇଲେ ସିନ୍ଧୁ । ପ୍ରଥମ ରାଉଣ୍ଡରେ ୨୧-୧୨ ପଏଣ୍ଟରେ ହରାଇଥିଲେ ସିନ୍ଧୁ । ସେହିଭଳି ଦ୍ବିତୀୟ ରାଉଣ୍ଡରେ ମଧ୍ୟ ୨୧-୧୫ ସେଟ୍ରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକରେ ଭାରତକୁ ବର୍ତ୍ତମାନ ସୁଦ୍ଧା ମୋଟ ୨ଟି ପଦକ ମିଳିଛି ।
ସୂଚନା ଯେ, ଶନିବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ୍ ସେମିଫାଇନାଲରେ ପରାଜିତ ହୋଇଥିଲେ ଭାରତର ପିଭି ସିନ୍ଧୁ । ବିଶ୍ବର ଏକ ନମ୍ବର ବ୍ୟାଡମିଣ୍ଟନ୍ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ସିନ୍ଧୁ ପରାସ୍ତ ହୋଇଥିଲେ । ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସୁଦ୍ଧା ଶେଷରେ ନିରାଶ କରିଥିଲେ । ପ୍ରଥମ ସେଟ୍ରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ରାଉଣ୍ଡ ଶେଷ ବେଳକୁ ଚମତ୍କାର ପ୍ରଦର୍ଶନ କରି ଆଗୁଆ ହୋଇଥିଲେ ଜୁ-ୟିଙ୍ଗ । ପ୍ରଥମ ରାଉଣ୍ଡରେ ୧୮-୨୧ ଏବଂ ଦ୍ବିତୀୟ ରାଉଣ୍ଡରେ ୧୧-୨୧ରେ ପରାସ୍ତ ହୋଇଥିଲେ ପିଭି ସିନ୍ଧୁ । ଯାହା ଫଳରେ ସିନ୍ଧୁଙ୍କ ଫାଇନାଲ ଆଶା ମଉଳିଯାଇଥିଲା । କିନ୍ତୁ ବ୍ରୋଞ୍ଜ ଆଶା ଉଜ୍ଜୀବିତ ଥିଲା । ରେବିବାର ଚୀନର ହେ ବିଙ୍ଗ୍ ଜିଆଓଙ୍କୁ ୨୧-୧୨, ୨୧-୧୫ ପଏଣ୍ଟରେ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ପିଭି ସିନ୍ଧୁ ।