ଟୋକିଓ ଅଲିମ୍ପିକ୍ସ : ଇତିହାସ ରଚିଲା ଭାରତୀୟ ହକି ଟିମ୍
- ୪୧ ବର୍ଷ ପରେ କାଂସ୍ୟ ପଦକ
ନୂଆଦିଲ୍ଲୀ : ଅଲିମ୍ପିକରେ ଇତିହାସ ରଚିଛି ଭାରତ । ଦୀର୍ଘ ୪୧ ବର୍ଷ ପରେ ଅଲିମ୍ପିକରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଶକ୍ତିଶାଳୀ ଜର୍ମାନୀକୁ ୫-୪ ଗୋଲରେ ହରାଇ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ଏହି ହାଇଭୋଲଟେଜ୍ ମୁକାବିଲାରେ ଟିମ୍ ଇଣ୍ଡିଆ ସେତେଟା ଭଲ ଆରମ୍ଭ କରିନଥିଲା । କିନ୍ତୁ ଲଗାତର ଭାବେ ଗୋଲ କରି ପ୍ରତ୍ୟାବର୍ତନ କରିଥିଲା । ଏହାପରେ କିନ୍ତୁ ଜର୍ମାନୀ ଆଉ ୨ଟି ଗୋଲ୍ କରି ଭାରତ ଉପରେ ଚାପ ପକାଇଥିଲା । କିନ୍ତୁ ଭାରତ ୨ ମିନିଟରେ ୫-୩ରେ ଆଗୁଆ ରହିଥିଲା ।
ଜର୍ମାନୀ ତରଫରୁ ପ୍ରଥମ ମିନିଟରେ ଟିମୁର ଓରଜୁ ଗୋଲ୍ କରିଥିଲେ । ଫଳରେ ଦଳ ୧-୦ରେ ଭାରତ ଉପରେ ଭାରି ପଡିଥିଲା । ଏହାପରେ ଭାରତ ଭଲ କାଉଂଟର କରିଥିଲା । ହେଲେ ପେନାଲ୍ଟି କର୍ଣ୍ଣର ପାଇ ସୁଦ୍ଧା ରୁପିନ୍ଦର ପାଲ ସିଂ ଗୋଲ୍ କରିବାରେ ବିଫଳ ହୋଇଥିଲେ । ପ୍ରଥମ କ୍ୱାର୍ଟର ଶେଷ ହେବା ଠିକ୍ ପୂର୍ବରୁ ଜର୍ମାନୀ ଉପରେ ଭାରତ ଭାରି ପଡିଥିଲା । ତେବେ ଶେଷ କ୍ୱାର୍ଟରରେ ଜର୍ମାନୀ ଆଉ ଏକ ଗୋଲ ଦେଇ ୪-୫କୁ ଆଣିଥିଲା ।ଏହାପରେ ବି ଦଳକୁ ପେନାଲ୍ଟି ମିଳିଥିବା ବେଳେ ଫାଇଦା ଉଠାଇପାରିନଥିଲା । ଉଭୟ ଦଳ ମଧ୍ୟରେ କଡା ଟକ୍କର ହୋଇଥିଲେ ବି ଭାରତ ୫-୪ରେ ଆଗୁଆ ରହି ମ୍ୟାଚ୍ ଜିତିନେଇଥିଲା । ମ୍ୟାଚ୍ ଜିତିବା ପରେ ଭାରତକୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ମିଳିଛି । ଅଲିମ୍ପିକ୍ କ୍ରୀଡ଼ାରେ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ଟିମ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଦଳର କପ୍ତାନ ମନପ୍ରୀତ୍ ସିଂହ ଏବଂ ପ୍ରଧାନ ପ୍ରଶିକ୍ଷକ ଗ୍ରାହମ୍ ରିଡ୍ ଏବଂ ସହକାରୀ ପ୍ରଶିକ୍ଷକ ପୀୟୂଷ ଦୁବେଙ୍କ ସହ ମଧ୍ୟ ବାର୍ତାଳାପ କରି ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେଲିଫୋନ୍ ଯୋଗେ ଭାରତୀୟ ପୁରୁଷ ହକି ଟିମ୍ ସହ କଥାବାର୍ତା କରି ଅଭିନନ୍ଦନ ଜ୍ଞାପନ କରିଛନ୍ତି ।